ଗଣେଶ ମୂର୍ତ୍ତି ଭସାଣ ବେଳେ ଅଘଟଣ: ୪ ଛାତ୍ର ବୁଡିଗଲେ

0

ବାରିପଦା: ବାରିପଦାରେ ବଡ଼ ଅଘଟଣ। ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୪ଜଣ ଆଦର୍ଶ ବିଦ୍ୟାଳୟର +୨ ଛାତ୍ର ଓ ସେମାନେ ହଷ୍ଟେଲରେ ରୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ସୂଚନାଯୋଗ୍ୟ ଯେ, ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲ ଯାଇଛି। ଗଣେଶ ପୂଜା ସରିଥିବା ବେଳେ ପୂଜା ଭସାଣୀ ଚାଲିଥିଲା। ଘଟଣାସ୍ଥଳରେ ୪ଜଣ ଛାତ୍ର ମେଢ଼ ଭସାଇବା ବେଳେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ରହିଛନ୍ତି। ପ୍ରାୟ ଦୁଇ ଘଣ୍ଟା ହେଲାଣି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଏବେ ବି ସେମାନଙ୍କ ପତ୍ତା ମିଳିନି। ତେବେ ୪ ଜଣ ଯାକ ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ମିଳିଛି।

Leave a comment