ଏସିଆ କପ୍ ପାଇଁ ଏହି ଦିନ ହେବ ଟିମ୍ ଇଣ୍ଡିଆ ଘୋଷଣା, ଜାଣନ୍ତୁ କେଉଁ ସବୁ ଖେଳାଳିଙ୍କୁ ମିଳିବ ସୁଯୋଗ

0

ଏସିଆ କପ୍ ପାଇଁ ଭାରତୀୟ ଦଳ ଚୟନକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଏଥର ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କ ଦଳକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ଅଗଷ୍ଟ ତୃତୀୟ ସପ୍ତାହରେ ଦଳ ଚୟନ ହେବାର ଆଶା କରାଯାଉଛି।

ଗତ କିଛି ଟି-୨୦ ମ୍ୟାଚ୍‌ରେ ଦେଖାଯାଇ ନଥିବା ଗିଲ୍ ଏବଂ ଜୟସୱାଲଙ୍କୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପରେ ଗୋଟିଏ ମାସର ବିଶ୍ରାମ ମିଳିଛି। ଏବେ ଉଭୟ ଫିଟ୍ ଏବଂ ଚୟନ ପାଇଁ ଉପଲବ୍ଧ। ଅନ୍ୟପକ୍ଷରେ ସାଇ ସୁଦର୍ଶନ ନିରନ୍ତର ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିଛନ୍ତି।
ବିସିସିଆଇ ସୂତ୍ର ଅନୁଯାୟୀ ଚୟନ କମିଟି ସମସ୍ତ ସମ୍ଭାବନାକୁ ଦୃଷ୍ଟିରେ ରଖି ଦଳକୁ ପ୍ରସ୍ତୁତ କରୁଛନ୍ତି। ଯଦି ଭାରତ ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲରେ ଖେଳେ ତେବେ ଏହାର ମାତ୍ର ଚାରି ଦିନ ପରେ ଅର୍ଥାତ୍ ୨ ଅକ୍ଟୋବରରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏପରି ପରିସ୍ଥିତିରେ ଖେଳାଳିଙ୍କ କାର୍ଯ୍ୟଭାରକୁ ସନ୍ତୁଳିତ କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ।

ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଭଲ ଫର୍ମରେ ଅଛନ୍ତି କିନ୍ତୁ ପାଞ୍ଚ ସପ୍ତାହର ବିରତି ଏବଂ ଟପ୍ ଅର୍ଡରର ସ୍ଥିରତାକୁ ବିଚାରକୁ ନେଇ ଜୟସ୍ୱାଲ, ଗିଲ୍ ଓ ସୁଦର୍ଶନଙ୍କୁ ପ୍ରାଥମିକତା ଦିଆଯାଇପାରିବ। ଏହି ୬ ମ୍ୟାଚ୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳାଳିମାନଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ।’

ଏସିଆ କପ୍ ୟୁଏଇରେ ଖେଳାଯିବ। ଯେଉଁଠାରେ ପିଚ୍ ଧୀର ଏବଂ ସ୍ପିନ୍ ଅନୁକୂଳ ବୋଲି ବିବେଚନା କରାଯାଏ। ଏହା ସହିତ ଆଗାମୀ ଛଅ ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଧ୍ୟାନରେ ରଖି ଚୟନକର୍ତ୍ତାମାନେ ଏପରି ବ୍ୟାଟସମ୍ୟାନ ଚାହୁଁଛନ୍ତି, ଯେଉଁମାନେ ବିଦେଶୀ ପରିସ୍ଥିତିରେ ଦଳକୁ ଭଲ ଆରମ୍ଭ ଦେଇପାରିବେ। ଏହି ଦୃଷ୍ଟିରୁ ଜୟସ୍ୱାଲ, ଗିଲ୍ ଓ ସୁଦର୍ଶନ ସମସ୍ତେ ଦୃଢ଼ ଦାବିଦାର।

ଫିଟନେସ୍ ଟେଷ୍ଟ ଉପରେ ନିର୍ଭର କରେ ବୁମରା-ସିରାଜଙ୍କ ପ୍ରତ୍ୟାବର୍ତ୍ତନ
ଦଳ ଚୟନ ପୂର୍ବରୁ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କ ଫିଟନେସ୍ ରିପୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଉଭୟଙ୍କୁ ଗତ କିଛି ମାସ ମଧ୍ୟରେ ଭିନ୍ନ ଭିନ୍ନ ଫର୍ମାଟରେ ସତର୍କତାର ସହ ବ୍ୟବହାର କରାଯାଇଛି। ଚୟନ ପୂର୍ବରୁ ସେମାନଙ୍କର ଫିଟନେସ୍ ମୂଲ୍ୟାଙ୍କନ କରାଯିବ। ଯାହା ଦ୍ୱାରା ଭବିଷ୍ୟତର ରଣନୀତି ସ୍ପଷ୍ଟ ହୋଇପାରିବ।

ଏସିଆ କପ୍ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ୱୀ ଜୟସ୍ୱାଲ୍, ଶୁବମନ ଗିଲ୍, ସଞ୍ଜୁ ସାମସନ୍, ସାଇ ସୁଦର୍ଶନ, ଶ୍ରେୟସ୍ ଆୟର, ତିଲକ ଭର୍ମା, ରିଙ୍କୁ ସିଂ, ଧ୍ରୁଭ ଜୁରେଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ପ୍ରସିଦ୍ଧ କ୍ରୀଷ୍ଣା, ଅରଦଦୀପ ସିଂ, କୁଲଦିପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସିରାଜ।

Leave a comment