ୟୁ-ଟ୍ୟୁବ୍ ପାଠପଢ଼ା ପାଇଁ ଗାଇଡ୍ଲାଇନ୍: ଦିନକୁ ୪ଟି ପିରିୟଡ୍
ଦିନ ୧୦ଟା ୪୫ରୁ ଗୋଟାଏ ଯାଏ କ୍ଲାସ, କେବଳ ନବମ ଓ ଦଶମ ପିଲା ପଢ଼ିବେ
ଭୁବନେଶ୍ୱର : କରୋନା ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷ ପାଠପଢ଼ା ବ୍ୟାହତ ହୋଇଛି । ଶିକ୍ଷାବର୍ଷର ୩ ମାସ ଗଡି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍ ଶିକ୍ଷାଦାନ ହୋଇପାରି ନାହିଁ । ବିଶେଷ ଗୁରୁତ୍ୱ ବହନ କରୁଥିବା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆଗେଇ ପାରୁ ନଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିନବ ଉଦ୍ୟମ କରାଯାଇଛି । ୟୁ-ଟ୍ୟୁବ୍ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ ହୋଇଛି । ଜୁନ୍ ୨୧ରୁ ୟୁ-ଟ୍ୟୁବ୍ରେ ପାଠପଢ଼ା ଆରମ୍ଭ ହେବ । ତା’ ପୂର୍ବରୁ ୧୩ଟି ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଦୁଇଟି କ୍ଲାସରୁମ୍ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ୟୁ-ଟ୍ୟୁବ୍ ପାଠପା ନେଇ ମାଧ୍ୟମିକ ଶିକ୍ଷା ର୍ନିେଶାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି । ପାଠପଢ଼ାର ରୂପରେଖ କ’ଣ ରହିବ, ସେନେଇ ବିଶଦ୍ ଭାବେ ବର୍ଣ୍ଣନା କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ଚାଲିବ । ଦିନକୁ ୪ଟି ପିରିୟଡ୍ ହେବ ଏବଂ ପ୍ରତି ପରିୟଡ୍ର ଅବଧି ୩୦ ମିନିଟ୍ ରହିବ । ଶନିବାର କ୍ଲାସ ହେବନି । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସପ୍ତାହକୁ ବିଷୟ ପିଛା ଅତି ବେଶିରେ ୨୦ଟି ପିରିୟଡ୍ ହେବ । ଜୁନ୍ ଓ ଜୁଲାଇ ମାସରେ କେଉଁ ଦିନ କେଉଁ ବିଷୟର କ୍ଲାସ ହେବ ସେନେଇ ରୁଟିନ୍ ପ୍ରସ୍ତୁତ କରାଯାଇଛି । ଯେଉଁ ଶିକ୍ଷକମାନେ ୟୁ-ଟ୍ୟୁବ୍ରେ ପାଇବେ, ତାହାକୁ ଅନୁଧ୍ୟାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିୟୋଜିତ ବ୍ୟକ୍ତିବିଶେଷ ଭିଡିଓ ଦେଖି ମତାମତ ରଖିବେ । ଫଳରେ ପରବର୍ତ୍ତୀ ସମୟରେ ଲାଇଭ୍ ଷ୍ଟ୍ରିମିଂରେ ରହୁଥିବା ତ୍ରୁଟିରେ ସୁଧାର ଅଣାଯାଇପାରିବ । ଶିକ୍ଷକମାନେ ୟୁ-ଟ୍ୟୁବରେ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର କରିବେ । ଲାଇଭ୍ ଚାଟ୍ ମାଧ୍ୟମରେ ପିଲାମାନେ ପଚାରିଥିବା ପ୍ରଶ୍ନର ଉତ୍ତର ପରବର୍ତ୍ତୀ କ୍ଲାସରେ ଶିକ୍ଷକମାନେ ପ୍ରଦାନ କରିବେ । ୟୁ-ଟ୍ୟୁବ୍ରେ ଯେଉଁ ବିଷୟ ପଢ଼ାଯିବ, ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ୍ କଲ୍ ମାଧ୍ୟମରେ ଦୂର କରିବେ । କେଉଁଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ରେ ପଢି଼ଲେ, ସ୍କୁଲ ଶିକ୍ଷକ ତାହାର ତଥ୍ୟ ରଖିବେ । ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସପ୍ରେ ପଠାଇବେ । ପ୍ରତି ପିଲାର ୱାର୍କସିଟ୍କୁ ମୂଲ୍ୟାୟନ କରିବେ । ସେଗୁଡିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ । ସ୍କୁଲଗୁଡିକ ନିଜସ୍ତରରେ ଅନ୍ଲାଇନ୍ କ୍ଲାସ କରି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିପାରିବେ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।