ଅଷ୍ଟ୍ରେଲିଆରେ ବିରାଟ ବାହିନୀଙ୍କ ବିରାଟ ବିଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିମ୍ ଇଣ୍ଡିଆ ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଦୀର୍ଘ ୭୧ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ଟିମ୍କୁ ହରାଇ ଐତିହାସିକ ସଫଳତା ହାସଲ କରିଛନ୍ତି ବିରାଟ ବାହିନୀ । ସିଡ୍ନୀ ଗ୍ରାଉଣ୍ଡରେ ଖେଳାଯାଇଥିବା ୪ର୍ଥ ଟେଷ୍ଟର ଅନ୍ତିମ ଦିନ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ପାରି ନ ଥିଲା । ଫଳରେ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି । ଏଥିଯୋଗୁଁ ଟିମ ଇଣ୍ଡିଆ ଟେଷ୍ଟ ସିରିଜ୍ ୨-୧ ବ୍ୟବଧାନରେ ଜିତି ନେଇଛି । ମ୍ୟାଚ୍ର ପ୍ରଥମ ଇନିଂସରେ ବିରାଟଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୬୨୨ ରନ କରିଥିଲା । ମୟଙ୍କ ଅଗ୍ରୱାଲଙ୍କ ୭୭ ରନ, ଚେତେଶ୍ୱର ପୂଜାରାଙ୍କ ୧୯୩, ଋଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ ବଳରେ ଭାରତ ଏହି ରନ୍ ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନ୍ରେ ଅଲ ଆଉଟ ହୋଇଯାଇଥିଲା । ପରେ ଫଲୋଅନ ପାଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୬ ରନ କରିଥିବା ବେଳେ ଦୁଇ ଦିନ ଧରି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଶେଷରେ ମ୍ୟାଚ୍କୁ ଡ୍ର ଘୋଷଣା କରାଯାଇଥିଲା । ମ୍ୟାଚ୍ ଜିତିବା ପରେ ଫିଲ୍ଡ ଭିତରେ ବିରାଟ ଓ ଅନ୍ୟ ଖେଳାଳିମାନେ ଖୁବ୍ ଡ୍ୟାନ୍ସ କରିଥିଲେ।
ମ୍ୟାଚ୍ରେ ୧୯୩ ରନର ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଛି । ଟିମ୍ ଇଣ୍ଡିଆର ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ହରଭଜନ ସିଂହ, ସୁରେଶ ରାଇନା, ସୌରଭ ଗାଙ୍ଗୁଲି ଓ ପ୍ରଜ୍ଞାନ ଓଝା ପ୍ରମୁଖ ଟୁଇଟ କରି ଟିମ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ।