ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ : ଡ କ୍ରିଷନ କୁମାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ପ୍ରସ୍ତୁତିକୁ ନେଇ ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର କହିଛନ୍ତି, “ରଥ ନିର୍ମାଣ କାର୍ଯ୍ୟକ୍ରମ ବହୁତ ଭଲରେ ଆଗକୁ ବଢୁଛି । ପ୍ରାୟ ୮୫ ରୁ ୯୦ ଭାଗ କାର୍ଯ୍ୟ ଶେଷ ହୋଇ ସାରିଛି । ଏହା ରଥଖଳା ସେବକ ମାନଙ୍କ ସେବା ଭାବ, କର୍ତ୍ତବ୍ୟ ନିଷ୍ଠା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରିଛି । ଦର୍ଜି ସେବକ ନିଜ କାମ ଆରମ୍ଭ କରିସାରିଛନ୍ତି । ଆସନ୍ତା ୯ତାରିଖ ବେଳକୁ ସମସ୍ତ କାର୍ଯ୍ୟ ଶେଷ ହୋଇଯିବା ନେଇ ଆମେ ଆଶାବାଦୀ । ସମସ୍ତଙ୍କ ସହଯୋଗରେ କୋଭିଡ କଟକଣାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ଯେଉଁ ପଦକ୍ଷେପ ଆବଶ୍ୟକ ତାହା ନିଶ୍ଚୟ ନିଆଯିବ । ରଥଯାତ୍ରା ନୀତିକାନ୍ତି ପାଇଁ ଯାହା ଆବଶ୍ୟକ ସମସ୍ତ ଜିନିଷ ବ୍ୟବସ୍ଥା ଠିକ ସମୟରେ ଶେଷ ହେବ । ମନ୍ଦିର ପ୍ରଶାସନ ତରଫରୁ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସମ୍ପନ୍ନ ହୋଇସାରିଛି । ପୁନର୍ବାର ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ସ୍ନାନଯାତ୍ରା ପରି କରୋନା ଟେଷ୍ଟ ରଥଯାତ୍ରା ପୂର୍ବରୁ ଏବଂ ବାହୁଡା ପୂର୍ବରୁ ମଧ୍ୟ ହେବ । ଆସନ୍ତା ୫ତାରିଖ ପୂର୍ବରୁ ଛତିଶା ନିଯୋଗ ବୈଠକ ବସିବ । ସେବକମାନେ ରଥ ଟାଣିବା ନେଇ ନିଷ୍ପତ୍ତି ନିଆଯିବ” ।

ସୂଚନା ଅନୁଯାୟୀ, ଆଜି ରଥ ନିର୍ମାଣ କାର୍ଯ୍ୟରେ ୭୮ ମିଟ ମହାରଣା, ୭୬ ଭୋଇ ସେବକ, ୫ କରତି ସେବକ, ଜଣେ ପାହି ମହାରଣା, ୧୬ ଓଝା ବା କମାର ସେବକ, ଜଣେ ତୁମ୍ବ ବିନ୍ଧ କାରୀଗର, ୧୯ ରୂପକାର ସେବକ ଏବଂ ଜଣେ ରଥଖଳା ସହାୟକଙ୍କୁ ମିଶାଇ ମୋଟ ୧୯୭ ଜଣ ସେବକ ନିୟୋଜିତ ଥିଲେ ।

ତିନିରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ । (ପ୍ରଭାଫ୍ରେମରେ ପଟା ଵାଡ଼ିଆ ପରେ ବାଙ୍କ ପଡି ରୂପ ଖୋଦେଇ ପଟା ସେଟିଙ୍ଗ ହେଉଅଛି) । ତିନିରଥର ଚାରପରିଛାକୁ ମୁଣ୍ଡାଇ ରଖିବାପାଇଁ ୫ଗୋଟି ଲେଖାଁଏ ଗୁଣ୍ଠି ନିର୍ମାଣ ହୋଇ ଚାରପରିଛା ତଳେ ରଥ ସମୁଖ ସାଲ ଗୁଜ ଗୁଡିକରେ ଫିଟିଙ୍ଗ କରାଯାଇଅଛି ।

ତିନିରଥର ଘୋଡା ସେଟିଙ୍ଗ ପାଇଁ ଦୁଇଟି ଲେଖାଁଏ ଇଶ ନିର୍ମାଣ ଶେଷ ହୋଇ ବିନ୍ଧ କାର୍ଯ୍ୟ ହେଉଅଛି। ତିନିରଥର ୪ ଟି ଲେଖାଁଏ ‘ପାଦି’ ନିର୍ମାଣ ଶେଷ ହୋଇଅଛି, ଏହା ରଥର ସମୁଖ ଏବଂ ପଛ ଭାଗରେ କତରା ଦୁଇପାର୍ଶ୍ୱ ରେ ଫିଟିଙ୍ଗ ହେବ, ଏହା ରଥକୁ ସେବକ ମାନେ ସେବାପାଇଁ
ଉଠିଲା ବେଳେ ପାଦିରେ ପାଦ ରଖି ଉଠିବା ପାଇଁ ଲାଗିଥାଏ ।
ସେହିପରି ସିଂହାସନ ବେଦି ନିର୍ମାଣ ପାଇଁ ପାଞ୍ଚ ଗୋଟି ଜଗତପୃଷ୍ଠ ଶେଣୀ ରଥରେ ଫିଟିଙ୍ଗ ହୋଇଥିଲା, ଆଜି ଜଗତପୃଷ୍ଠ ଶେଣୀର ଉଭୟ ପାର୍ଶ୍ୱରେ ତିନୋଟି ଲେଖାଁଏ ବାହୁଟ ଫାଳିଆ ଫିଟିଙ୍ଗ ହୋଇ ବେଦୀ ପଟା ପଡ଼ିଅଛି ।ଦୋଳବେଦୀ ଆସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନି ରଥର ୧୦ ଟି ଲେଖାଁଏ ଗୁଣ୍ଠି କଣ୍ଟା, ବେଦୀ ସିଂହାସନ ପାଇଁ ବାହୁଟ ଫାଳିଆ କଣ୍ଟା ୧୨ ଟି ଲେଖାଁଏ ଯୋଗାଇବା ସହ କନକମୁଣ୍ଡି କଣ୍ଟା, ସିଂହାସନ ରାୟ କଣ୍ଟା ନିର୍ମାଣ କରୁଛନ୍ତି ।
ଅପରପକ୍ଷରେ ଚିତ୍ରକାର ସେବକ ମାନେ ଦୁଆର ବେଢାରେ ଚିତ୍ରକାମ କରିବାସହ ରଥ ପାର୍ଶ୍ୱ ଦେବଦେବୀ, ନାଟ ଗୋଡ଼, ଓଲଟ ଶୁଆ, ଆଦିରେ
ରଙ୍ଗ ଚିତ୍ର ଜାରୀ ରଖିଛନ୍ତି । ଦରଜୀ ସେବକ ମାନେ ରଥ ପାଇଁ କନା କଟିଙ୍ଗ ସହ ସେଥିରେ ଜରି ଯୁକ୍ତ ଲେସ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।