ଜାଣନ୍ତୁ ରାଜ୍ୟରେ କେଉଁଠି କ’ଣ ଖୋଲା, କ’ଣ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜୁଲାଇ ମାସର କୋଭିଡ୍‌ ଗାଇଡଲାଇନ୍‌ରେ କିଛି କୋହଳ ହେଲା କିନ୍ତୁ ଅନେକ କଟକଣା ରହିଲା । କୋଭିଡକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର କିଛି କୋହଳ ସହ ଆଂଶିକ ଲକଡାଉନକୁ ବଢାଇ ଦେଇଛନ୍ତି । ରାଜ୍ୟକୁ ଦୁଇଟି ବର୍ଗରେ ‘ଏ’ ଏବଂ ‘ବି’ରେ ଭାଗ ଭାଗ କରି କୋହଳ ନିୟମ ଲାଗି କରିଥିଲେ ବି ଅନେକ କଟକଣାକୁ ପୂର୍ବଭଳି ଜାରି ରଖିଛନ୍ତି ।
ସାରା ରାଜ୍ୟ ପାଇଁ ଯେଉଁ କଟକଣା ବଳବତ୍ତର ରହିଛି ତାହା ହେଲା ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । କୌଣସିଠାରେ ସପିଂ ମଲ୍‌, ବିୟୁଟି ପାର୍ଲର, ସ୍ପା ଖୋଲିବ ନାହିଁ । ବିବାହ, ବ୍ରତଘର, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଜାରି ରହିଥିବା ନିର୍ଦ୍ଦେଶାବଳୀ ବଳବତ୍ତର ରହିବ । ତେବେ ସାରା ରାଜ୍ୟରେ ଚା’ ଏବଂ ଉଠାଦୋକାନ ଆଦିକୁ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଦୋକାନ ଆଗରେ କେହି ଚା’ ପିଇପାରିବେ ନାହିଁ କିମ୍ବା ଖାଦ୍ୟ ଖାଇପାରିବେନାହିଁ । କେବଳ ପାର୍ସଲ ନେଇପାରିବେ ।
କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲା ଭିତରେ ତଥା ସେହି ଜିଲ୍ଲାକୁ ଲାଗିଥିବା ସମାଜ କାଟେଗୋରୀ ଜିଲ୍ଲାଗୁଡିକ ମଧ୍ୟରେ ବସ୍‌ ସେବା ସହ ସର୍ବସାଧାରଣଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ ଯାନବାହାନ ଚଳାଚଳ ଚାଲୁ ହେବ । ତେବେ ତାହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏହିସବୁ ଜିଲ୍ଲାରେ ଦୈନିକ ହାଟ, ବଜାର, ଛୋଟ ସେଲୁନ ଆଦି ଖୋଲା ରହିବ । ଇନଡୋର୍‌ ଏବଂ ଆଉଟଡୋର୍‌ ସିନେମା ସୁଟିଂକୁ ଅନୁମତି ରହିଛି । ସବୁଠୁ ବଡକଥା ହେଲା ଏହିସବୁ ଜିଲ୍ଲାରେ ସପ୍ତାହନ୍ତ ସଟ ଡାଉନ୍‌କୁ ଉଠାଇ ଦିଆଯାଇଛି ।
ସେହିଭଳି କାଟେଗୋରୀ ‘ବି’ରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍‌ ପୂର୍ବଭଳି ଜାରି ରହିବ । କେବଳ ଆଉଟଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ଇନଡୋର୍‌ ସୁଟିଂକୁ ଅନୁମତି ମିଳିନାହିଁ । ବସ୍‌ ଏବଂ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ସେଲୁନ ଖୋଲିବାକୁ ଅନୁମତି ଥିବା ବେଳେ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦୋକାନବଜାର ଆଦିରେ କୋଭିଡ୍‌ ନିୟମ ଓ କଟକଣା ପାଳନ କରିବାକୁ ବାଧ୍ୟତାମୂଳକ କୁହାଯାଇଛି ।

Leave a comment