ଛିଣ୍ଡିଲା ଅଙ୍କ, ରାଜ୍ୟ ବିଜେପିର ମଙ୍ଗ ଧରିବେ ପୃଥ୍ୱୀରାଜ
ଓଡିଶା ଫାଷ୍ଟ (ବ୍ୟୁରୋ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେପିର ସାଧାରଣ ସମ୍ପାଦକ ତଥା ଯୁବନେତା ପୃଥ୍ୱୀରାଜ ହରିଚନ୍ଦନ ଧରିବେ ରାଜ୍ୟ ବିଜପିର ମଙ୍ଗ । ସର୍ବ ସହମତି କ୍ରମେ ତାଙ୍କୁ ରାଜ୍ୟ ବିଜପିର ସଭାପତି କରାଯିବ । ଅପେକ୍ଷା କେବଳ ବିଧିବଦ୍ଧ ଘୋଷଣାକୁ । ୧୬ ତାରିଖ ଦିନ ରାଜ୍ୟ ବିଜପିର ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂତ୍ରରୁ ଜଣାପଡିଛି। ୩୬ଟି ସାଙ୍ଗଠନିକ ଜିଲ୍ଲାର ସଭାପତି, ୧୧୭ କାର୍ଯ୍ୟକାରିଣୀ ସଦସ୍ୟ, ୧୦ଜଣ ବିଧାୟକ, ୩ ଜଣ ସାଂସଦ ପୃଥ୍ୱୀରାଜଙ୍କୁ ଭୋଟ ଦେଇ ନିର୍ବାଚିତ କରିବେ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କର କାର୍ଯ୍ୟକାଳ ଶେଷ ହେବାପରେ ପରବର୍ତ୍ତି ସଭାପତି କିଏ ହେବ ତାକୁ ନେଇ ଦଳରେ ଟଣାଓଟରା ଚାଲିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଗୋଟେପଟେ ଓ ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ଅପରାଜିତା, ପ୍ରତାପ ଷଡ଼ଙ୍ଗୀ ଓ ବିଜୟଙ୍କ ଗୋଷ୍ଠୀ ଅନ୍ୟଜଣଙ୍କୁ ସଭାପତି କରିବାପାଇଁ ବଳ କଷାକଷି ହେଉଥିଲେ । ସଭାପତି ରେସରେ ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ଆଗରେ ଥିଲାବେଳେ କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବିଷ୍ଣୁ ସେଠି, ସୁରମା ପାଢ଼ୀ, ସଙ୍ଗୀତା ସିଂହଦେଓ ଓ ଜୁଏଲ ଓରାମ ଆଦିଙ୍କ ନାମ ଚର୍ଚ୍ଚକୁ ଆସିଥିଲା ।
ଶେଷରେ କନ୍ଦ୍ରୀୟ ନେତା ରାଜ୍ୟ ବିଜପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସଭାପତି କରିବାପାଇଁ ନିଷ୍ପତି ନେଇଥିବା ଜଣାପଡିଛି । କାରଣ ପୃଥ୍ୱୀରାଜ ହେଉଛନ୍ତି ଜଣେ ଯୁବ ନେତା, ଉପକୂଳର ନେତା, ବିଜପିର ସବୁ ଗୋଷ୍ଠୀ ସହିତ ତାଙ୍କର ସମନ୍ୱୟ ରହିଛି, ଦଳପ୍ରତି ତାଙ୍କର ଆନୁଗତ୍ୟ ରହିଛି ଓ ବିଭିନ୍ନ ସମୟରେ ଓଡ଼ିଶାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଦକ୍ଷତାର ସହିତ ପରିଚାଳନା କରି ସେ ତାଙ୍କର ପରିଦର୍ଶିତା ଦେଖାଇଛନ୍ତି । ସେଥିପାଇଁ କେନ୍ଦ୍ର ବିଜେପି ତାଙ୍କ ଉପରେ ଆସ୍ଥାପ୍ରକଟ କରିଛି ।