ସମୂହ ଦୀପ ଦାନ ପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଆମ ଦେଶବାସୀ ଲକ୍‌ଡାଉନ୍‌କୁ ସମୟରେ ଯେଉଭଳି ସହଯୋଗ କରିଛନ୍ତି ଓ ଲକ୍‌ଡାଉନ୍‌କୁ ସଫଳ କରିବାରେ ସହାୟତା କରିଛନ୍ତି ସେଥିପାଇଁ ଦେଶବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । କରୋନା ଭୟରେ ଆତଙ୍କିତ ଦେଶବାସୀଙ୍କ ମନୋବଳ ବଢାଇବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି, ” ସମଗ୍ର ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ତେଣୁ ଦେଶବାସୀଙ୍କ ଉତ୍ସାହ ଓ ଆଶାକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି । ଆମର ଉତ୍ସାହଠୁ ବଡ଼ ଦୁନିଆରେ କୌଣସି ଶକ୍ତି ନାହିଁ “।

ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ଜରିଆରେ ପୁନର୍ବାର ଏକ ବାର୍ତ୍ତା ଜାରି କରି କହିଛନ୍ତି, ” ଏପ୍ରିଲ ୫ତାରିଖ ରବିବାର ରାତି ୯ଟାରେ ମୁଁ ଆପଣଙ୍କ ୯ ମିନିଟ ଚାହୁଁଛି । ଘରର ସବୁ ଆଲୁଅ ବନ୍ଦ କରି ଘର ଦୁଆର ବା ବାଲ୍‌କୋନୀରେ ଠିଆ ହୋଇ ନ ମିନିଟ୍‌ ପାଇଁ ମହମବତୀ, ଦୀପ, ଟର୍ଚ ବା ମୋବାଇଲ୍‌ର ଫ୍ଲାଶ ଲାଇଟ ଜଳାନ୍ତୁ । ଯଦି ସେହି ସମୟରେ ଘରର ସବୁ ଆଲୁଅ ବନ୍ଦ ହେବ ଏବଂ ସବୁ ବ୍ୟକ୍ତି ଗୋଟିଏ ଗୋଟିଏ ଦୀପ ଜଳାଇବେ ସେତେବେଳେ ପ୍ରକାଶର ମହାଶକ୍ତି ଉପଲବ୍ଧ ହେବ । ମାତ୍ର କେହିବି ଲକ ଡାଉନ ନିୟମ ଭାଙ୍ଗିବେ ନାହିଁ । ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ବାଲକୋନି କିମ୍ବା ଘର ଦୁଆର ମୁହଁରେ ଦୀପ ଜଳାଇ ସଂକଳ୍ପ କରନ୍ତୁ କି ଆମେ ଏକୁଟିଆ ନୁହେଁ । ୧୩୦ କୋଟି ଦେଶବାସୀ ଆମେ ସମସ୍ତେ ଏକ ।

କରୋନା ମହାମାରୀ ଦ୍ୱାରା ବିସ୍ତାରିତ ଅନ୍ଧକାର ମଧ୍ୟରେ, ଆମକୁ ନିରନ୍ତର ଆଲୋକ ଏବଂ ଆଶା ଆଡକୁ ଅଗ୍ରଗତି କରିବାକୁ ପଡିବ । ନିରାଶାରୁ ଆଶା ପର୍ଯ୍ୟନ୍ତ ଆମର ଅଧିକ ପ୍ରଭାବିତ, ଗରିବ ଭାଇ ଓ ଭଉଣୀମାନଙ୍କୁ ନେବାକୁ ଆମେ ନିରନ୍ତର ଚେଷ୍ଟା କରିବା ଆବଶ୍ୟକ । ଆଲୋକ ଏବଂ ନିଶ୍ଚିତତା ଆଡକୁ ଅଗ୍ରଗତି କରି ସଙ୍କଟରୁ ବାହାରୁଥିବା ଅନ୍ଧକାର ଏବଂ ଅନିଶ୍ଚିତତାକୁ ଆମକୁ ସମାପ୍ତ କରିବାକୁ ହେବ ।

Leave a comment