୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ । ଭକ୍ତ ଙ୍କ ପାଇଁ ଖୋଲିଲେ ସିଂହଦ୍ୱାର । ଆଜି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୬ ତାରିଖ ସୋମବାର ଦିନ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ସୂଚନା ଅନୁଯାୟୀ, ଆଜି ବସିଥିବା ଛତିଶା ନିଯୋଗର ବୈଠକରେ ୧୬ ରୁ ୨୦ ତାରିଖ ପ୍ରଥମ ୫ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ କରିବାକୁ ମିଳିବ ଅନୁମତି । ୨୧ ଏବଂ ୨୨ ତାରିଖ ସଟ ଡାଉନ୍ ଥିବାରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ମନା କରାଯାଇଛି । ୨୩ ତାରିଖରୁ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ । ସେହିପରି ଶ୍ରୀମନ୍ଦିର ପ୍ରବେଶ ପାଇଁ ଡବଲ୍ ଡୋଜ ଟିକା କିମ୍ବା ଆରଟି ପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ । ୯୬ ଘଣ୍ଟା ପୂର୍ବରୁ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଥିବା ଜରୁରୀ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଅନଲକରେ ମନ୍ଦିର ଖୋଲିବା ପାଇଁ ସବୁଜ ସଙ୍କେତ ମିଳିଛି । ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡର ପ୍ରଥମ ଲହର ପରେ ଯେଭଳି ଏସଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ ପାରିତ ହୋଇଛି ।