ରହସ୍ୟ ଘେରରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ, ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

0

କେମିତି ହେଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏବେବି ରହସ୍ୟ ଘେରରେ । ଏହାରି ଭିତରେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମା’ ସିଲେଷ୍ଟିନା ମିଞ୍ଜ ଓ ଭାଇ ସନ୍ଦୀପ ମିଞ୍ଜ ।

ହତ୍ୟା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ମୁସ୍ମିତାଙ୍କ ମା’ କହିଛନ୍ତି, ଝିଅ ଘରୁ ହସଖୁସିରେ ବାହାରିଥିଲା । କିନ୍ତୁ ହଠାତ୍ କ’ଣ ହେଲା ଯେ ଆଉ ଘରକୁ ଫେରିନଥିଲା । ସେପଟେ ଭାଇ ସନ୍ଦୀପ ମଧ୍ୟ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି ।

ଗତ ୧୬ ତାରିଖରେ ରାଜଗାଙ୍ଗପୁର କେଶରାମାଲ ସ୍ଥିତ ବାସଭବନରୁ କାର୍ଯ୍ୟାଳୟକୁ ଆସି ଆଉ ଫେରିନଥିଲେ ସୁସ୍ମିତା । ୧୭ ତାରିଖରେ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଉଦିତନଗର ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ତା’ପରେ ଏକ ହୋଟେଲରେ ସୁସ୍ମିତା ଥିବା ନେଇ ଜାଣିବାକୁ ପାଇଥିଲେ । ପରିବାର ଲୋକ ହୋଟେଲ ଆସି ତାଙ୍କୁ ନେବାକୁ ଚାହୁଁଥିବାରୁ ସୁସ୍ମିତା ତାଙ୍କ ସହ ଯିବାକୁ ମନା କରିଥିଲେ । ଏହା ପରେ ୧୯ ତାରିଖ ଦିନ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଅଧାରରେ ତଦନ୍ତ ଜାରି ରଖିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ।

Leave a comment