ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା; ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ

0

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ମହଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଘଟଣାକୁ ଚାପିବାର ଉଦ୍ୟମ କରିବା ଓ ଏଥିପାଇଁ ଟଙ୍କା ଆଦାୟ କରିବା ଭଳି ଗୁରୁତର ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ।

ବିନା ପୋଷ୍ଟମର୍ଟମ୍‌ରେ ନାବାଳିକାଙ୍କ ମୃତଦେହ ସଂସ୍କାର କରାଯିବା ସହିତ ଅଧାଜଳା ଅସ୍ଥି ଓ ପାଉଁଶରୁ ନଦୀରେ ଭସାଯାଇଛି । ଏ କଥା ଖୋଦ୍‌ ଶ୍ରୀ ନାୟକ କହୁଥିବାର ଅଡିଓ ଭାଇରାଲ୍‌ ହୋଇଛି । ଏଭଳି ଜଘନ୍ୟ ଅପରାଧ ପଛରେ ରାଜନୈତିକ ଲିଂକ୍‌ ଥିବା ନେଇ ବିରୋଧୀ ଏବେ ହଲାପଟା କରିବା ଆରମ୍ଭ କଲେଣି । ପୁଲିସ୍‌ ଡିଜିଙ୍କୁ ବିଜେପିର ଅଭିଯୋଗ ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଏସ୍‌ପି ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡିଛି ।

ଅନ୍ୟପକ୍ଷରେ, ଘଟଣାଟି ଚର୍ଚ୍ଚାରେ ରହିଥିବା ବେଳେ ମୃତ ନାବାଳିକାଙ୍କ ଏକ ହାତ ଲେଖା ଚିଠି ମଧ୍ୟ ଭାଇରାଲ୍‌ ହୋଇଛି । ପ୍ରେମିକଙ୍କୁ ଚିଠି ଲେଖି ସେ ଆତ୍ମହତ୍ୟା କରୁଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଯଦିଓ ଏ ଚିଠି ସମ୍ପୃକ୍ତ ମୃତ ନାବାଳିକା ଲେଖିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଚିଠିଟି ପୁଲିସ୍‌ର ତଦନ୍ତ ପରିସରଭୁକ୍ତ ରହିଛି । ଏହା ପରେ ସାମ୍ନାକୁ ଆସିଛନ୍ତି ମୃତ ନାବାଳିକାଙ୍କ ପରିବାର ଲୋକେ । ଝିଅକୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଥିବା ସହିତ ଅଯଥାରେ ଘଟଣାକୁ ରାଜନୈତିକ ମୋଡ଼ ଦିଆଯାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ସେପଟେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍‌ ଗୋପନ ତଦନ୍ତ ଆରମ୍ଭ କରିଛନ୍ତି । ଏମିତିକି ମୃତଦେହ ସଂସ୍କାର ହୋଇଥିବା ଶ୍ମଶାନକୁ ଯାଇ ସେଠାରେ ଛାନ୍‌ଭିନ୍‌ କରିଥିବା ସୂଚନା ମିଳିଛି ।

ଏଭଳି ଏକ ଜଘନ୍ୟ ଅପରାଧ ଘଟିବାର ଦୁଇ ମାସ ପରେ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଗତ ଜୁନ୍‌ ୧୮ତାରିଖରେ ଶୁଖୁଆପଡା ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ କିନ୍ତୁ ଏ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ପୁଲିସକୁ ଜଣାଇନଥିଲେ । ପୁଲିସ୍‌ରେ ସୂଚନା ନଦେଇ ମୃତଦେହ ସଂସ୍କାର କରି ଦିଆଯାଇଥିଲା ।

Leave a comment