କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ତତ୍ପରତା ପ୍ରକାଶ କରନ୍ତୁ : ମନ୍ତ୍ରୀ ଡ. ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଅଧିକ ତତ୍ପରତା ପ୍ରକାଶ କରିବା ଆବଶ୍ୟକ । ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ସମୁଦାୟ ଋଣର ଶତକଡ଼ା ୧୮ ପ୍ରତିଶତ କୃଷି କ୍ଷେତ୍ରରେ ଦିଆଯିବା କଥା । ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା, ତାମିଲନାଡ଼ୁ ଓ ପଞ୍ଜାବ ଆଦି ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟବସାୟିକ ବ୍ୟାଙ୍କମାନେ କମ କୃଷି ଋଣ ପ୍ରଦାନ କରୁଛନ୍ତି । କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର କୃଷିଋଣ ପ୍ରଦାନ ଦିଗରେ ପ୍ରାଥମିକତା ପ୍ରଦାନ କରିବା ସହିତ କୃଷି ଋଣ କ୍ଷେତ୍ରରେ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କମାନେ କୃଷିଋଣର ସ୍ତର ବୃଦ୍ଧି କରିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
କୃଷି ଭବନରେ ଆୟୋଜିତ ବ୍ୟାଙ୍କର୍ସ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କୃଷି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନ ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ଋଣ ପ୍ରଦାନକୁ ରିଜର୍ଭ ବ୍ୟାଙ୍କର ଋଣ ପ୍ରଦାନ ଗାଇଡ୍ଲାଇନ୍ ସହ ସମତାଳରେ ଯୋଡ଼ିବା ପାଇଁ କହିଥିଲେ । ରାଜ୍ୟରେ କୃଷି ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଚଳନ କରିବା ସହିତ ଆକର୍ଷଣୀୟ ସବ୍ସିଡିର ବ୍ୟବସ୍ଥା କରିଛନ୍ତି । ସଂପ୍ରତି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀମାନଙ୍କ ସୁବିଧା ନିମନ୍ତେ ଯୋଜନାକୁ ସରଳୀକୃତ କରିବା ସଙ୍ଗେ ସଙ୍ଗେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସଂଖ୍ୟାକୁ ୬୨ରୁ ୯୨କୁ ବୃଦ୍ଧି କରିଛନ୍ତି । ଜମି ମାଲିକାନାରେ କୋହଳ ନୀତି ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉକ୍ସଊାଦକ ଗୋଷ୍ଠୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥି ସହିତ କେଜ୍ କଲଚର, ମାଛଧରା ଟ୍ରଲର ଓ ବାୟୋଫ୍ଲକ ପଦ୍ଧତି ମାଛଚାଷକୁ ଏହି ଯୋଜନାରେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ୪୨ କୋଟି ଟଙ୍କା ମଧ୍ୟରୁ ଅଦ୍ୟାବଧି ୩୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସବ୍ସିଡି ପ୍ରଦାନ କରାଯାଇସାରିଲାଣି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବକେୟା ପ୍ରକଳ୍ପଗୁଡ଼ିକର ଶୀଘ୍ର ଋଣ ମଂଜୁରୀ ସହିତ ୨୦୨୧-୨୨ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ବ୍ୟାଙ୍କରମାନଙ୍କୁ ୫ ଶହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ଋଣ ଯୋଗାଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବ୍ୟାଙ୍କମାନଙ୍କରୁ ଋଣ ପାଇବା ଦିଗରେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ନିଆଳି, ବରଗଡ଼, ପାଇକମାଳ ଓ ଆଠମଲ୍ଲିକର ଉଦ୍ୟୋଗୀମାନଙ୍କ ସହ ଅନ୍ଲାଇନ୍ ମାଧ୍ୟମରେ କଥା ହୋଇଥିଲେ । ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ କୌଣସି ବନ୍ଧକ ଜରୁରୀ ହୋଇନଥିବାବେଳେ ବ୍ୟାଙ୍କମାନେ ବନ୍ଧକ ନିମନ୍ତେ ସର୍ତ୍ତ ରଖିବା ଅଭିଯୋଗ ଆସୁଥିବା କଥା ମନ୍ତ୍ରୀ ଡ. ସାହୁ କହିବା ସହ କୃଷି ଏକ ସମୟଭିତ୍ତିକ କାର୍ଯ୍ୟ ହୋଇଥିବାରୁ କୃଷି ଋଣ ମଂଜୁରୀ ଓ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ବିଳମ୍ବ ଯୋଗୁଁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ । ଏଥି ସହିତ ଅଧିକରୁ ଅଧିକ ନୂତନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ବୈଠକରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ପ୍ରମୁଖ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ନିମନ୍ତେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ବ୍ୟାଙ୍କ ଶାଖାଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟାଙ୍କ ଋଣ ଯୋଗାଇଦେବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଥିଲା ।