ପ୍ରଥମକରି ଭାରତୀୟ ନୌସେନାରେ ୩୪୧ ମହିଳା ଅଗ୍ନିବୀର ହେଲେ ନିଯୁକ୍ତ

0

ଭାରତୀୟ ନୌସେନା ପ୍ରଥମ କରି ମହିଳା ନାବିକଙ୍କୁ ସାମିଲ କରିଛି । ନୌସେନା ମୁଖ୍ୟ ଆଡ୍‌ମିରାଲ ଆର୍‌. ହରି କୁମାର ଶନିବାର ଏ ନେଇ ସୂଚନା ଦେଇଛନ୍ତି । ଅଗ୍ନିବୀର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ଜଣଙ୍କୁ ନୌସେନାରେ ଭର୍ତ୍ତି କରାଯାଇଛି । ଏଥିରେ ୩୪୧ ଜଣ ମହିଳା ଅଛନ୍ତି ।

ସୂଚନା ଅନୁସାରେ, ଭାରତୀୟ ନୌସେନାରେ ଥିବା ପଦବୀଗୁଡ଼ିକ ପାଇଁ ୧୦ ଲକ୍ଷ ଆବଦେନକାରୀଙ୍କ ମଧ୍ୟରେ ୮୨ ହଜାର ମହିଳା ଥିଲେ । ଆସନ୍ତା ବର୍ଷରୁ ମହିଳା ଅଧିକାରୀଙ୍କ ପାଇଁ ସମସ୍ତ ଶାଖା ଖୋଲାଯିବ ବୋଲି ସେ କହିଛନ୍ତି । ସଶସ୍ତ୍ର ବଳରେ ମହିଳାଙ୍କ ଭାଗୀଦାରି ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

ନୌସେନା ମୁଖ୍ୟ ଆହୁରି କହିଛନ୍ତି, ଦେଶର ସୁରକ୍ଷା ପାଇଁ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ୟୁକ୍ରେନ୍‌ ଯୁଦ୍ଧରୁ ଶିକ୍ଷା ମିଳିଛି । ୨୦୪୭ ସୁଦ୍ଧା ଭାରତୀୟ ନୌସେନା ପୂର୍ଣ୍ଣ ଭାବେ ଆତ୍ମନିର୍ଭର ହୋଇସାରିଥିବ ବୋଲି ସେ ଦାବି କରିଛନ୍ତି । ଆଇଏନ୍‌ଏସ୍‌ ବିକ୍ରାନ୍ତ ନୌସେନାରେ ସାମିଲ ହେବାକୁ ସେ ଐତିହାସିକ କହିଛନ୍ତି । ବହୁତ କମ୍‌ ଦେଶ ଅଛନ୍ତି, ଯାହା ପାଖରେ ବିମାନବାହୀ ଯୁଦ୍ଧଜାହାଜ ନିର୍ମାଣ କ୍ଷମତା ରହିଛି । ଭାରତ ଏବେ ସେହି ଦେଶତାଲିକାରେ ସାମିଲ ହୋଇସାରିଛି ।

ସେହିପରି ଭାରତ ମହାସାଗରରେ ଚୀନ୍‌ ଜାହାଜ ମୁତୟନ ଉପରେ ଭାରତ କଡ଼ା ନଜର ରଖିଛି ବୋଲି ସେ କହିଛନ୍ତି । ଭାରତ ମହାସାଗର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ କ୍ଷେତ୍ର । ଏହା ମଧ୍ୟ ଦେଇ ବଡ଼ମାତ୍ରାରେ ବେପାର ବଣିଜ ମଧ୍ୟ ହୋଇଥାଏ । ତେଣୁ ଭାରତ ମହାସାଗରରେ ଭାରତର ସ୍ୱାର୍ଥ ଯେପରି ସୁରକ୍ଷିତ ରୁହେ ତାହା ଉପରେ ସବୁବେଳେ ନଜର ରହିଥିବା ନୌସେନା ମୁଖ୍ୟ ପ୍ରକାଶ କରିଛନ୍ତି ।

ଚୀନ୍‌ ଉପରେ ନଜର ରଖିବା ପାଇଁ ଭାରତ ଆମେରିକା ଠାରୁ ପ୍ରିଡେଟର ଡ୍ରୋନ୍‌ କିଣିବା ନିମନ୍ତେ ପ୍ରସ୍ତୁତ ହେଉଛି । ୩ ବିଲିୟନ ଆମେରିକୀୟ ଡଲାରରେ ଭାରତ ୩୦ ଏମ୍‌କ୍ୟୁ-୯ବି ଡ୍ରୋନ୍‌ କିଣିବାକୁ ଚିନ୍ତା କରୁଥିବା ସେ ସୂଚନା ଦେଇଛନ୍ତି । ଏହି ଡ୍ରୋନ୍‌ ଜରିଆରେ ହେଲ୍‌ଫାୟାର ମିଶାଇଲ ମଧ୍ୟ ଛଡ଼ାଯାଇପାରିବ । ଅଲକାଏଦା ଆତଙ୍କବାଦୀ ଅଲ୍‌ଜୱାହିରିକୁ ଏହି ଡ୍ରୋନ୍‌ ଦ୍ୱାରା ହତ୍ୟା କରାଯାଇଥିଲା।

Leave a comment