ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ

0

ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ । ଲାଞ୍ଜିପଲ୍ଲୀ ଓଭରବ୍ରିଜରେ ବିଜେଡି କର୍ମୀ ଅଟକାଇଛନ୍ତି । ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ପ୍ରଦୀପ । ଫାଇଭ-ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ, ମୁଁ ସଭାକୁ ଯିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଅର୍ଡର ଅଫ୍ ପ୍ରିସିଡେନ୍ସ ଯାହା ଅଛି, ସେ ଅନୁସାରେ ମୁଖ୍ୟ ସଚିବ, ବିଧାନସଭା ସଚିବ ପଦକ୍ଷେପ ନେବା ଦରକାର ।

ଯଦି ବାଟରେ ମୋର କିଛି ଅସୁବିଧା ହୁଏ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ । ସେଥିପାଇଁ ଡିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସ୍‌ପିଙ୍କୁ ଜଣାଇଛି । ବିଧାୟକଙ୍କ ଉପରେ ଆକ୍ରମଣ ମାନେ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ।

ଗତ ଅଗଷ୍ଟ ୧୬ତାରିଖରୁ ୨୩ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିସନର, ଗୃହ ସଚିବ, ପୁଲିସ ଡିଜି, ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଥିଲେ। ଏହାର ଉତ୍ତର ମିଳିନି। ନିୟମ ଅନୁସାରେ, ବିଧାୟକଙ୍କ ଚିଠିର ତୁରନ୍ତ ଉତ୍ତର ଦେବାକୁ ସରକାରୀ ଅଧିକାରୀ ବାଧ୍ୟ। ହେଲେ ଦେଢ଼ବର୍ଷ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କୁ ଯାହା ଚିଠି ଲେଖିଲେ ବି ଉତ୍ତର ମିଳୁନାହିଁ। ଏପରିକି ୨୦୨୦ ପର୍ଯ୍ୟନ୍ତ ମୁଁ ବିଧାୟକ ପାଣ୍ଠିରେ ଯେଉଁ ଅନୁଦାନ ମାଗୁଥିଲି ତାହା ୧୫ଦିନରେ ମଞ୍ଜୁର ହୋଇଯାଉଥିଲା। ଗତ ତିନି ବର୍ଷ ହେଲା ଟଙ୍କାଟିଏ ଦେଉନାହାନ୍ତି। ଗଞ୍ଜାମର ବାକି ୧୨ବିଧାୟକଙ୍କ ପାଇଁ ଜିଲ୍ଲାପାଳଙ୍କର ଗୋଟିଏ ନିୟମ ଓ ମୋ ପାଇଁ ଗୋଟିଏ ନିୟମ କେମିତି ? ବି‌ଜେଡି ମୋତେ ବହିଷ୍କାର କରିଛି । ହେଲେ ମୁଁ ତ ଏବେବି ବିଧାୟକ ଅଛି ।

ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କର କ’ଣ ଦୋଷ ଯେ ‌ସେମାନଙ୍କ ଉନ୍ନତି ପାଇଁ ଟଙ୍କା ଦିଆଯିବନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ପ୍ରଦୀପ କହିଛନ୍ତି, ରାଜ୍ୟରେ ଏବେ ରାଜନେତାମାନେ ଜଣେ ଅଧିକାରୀଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛନ୍ତି । ସେ ଅଧିକାରୀ ଯାହା କହୁଛନ୍ତି ସେଥିରେ ସମସ୍ତେ ଦସ୍ତଖତ ମାରୁଛନ୍ତି । ନିର୍ବାଚିତ ପ୍ରତିନିଧି ଥାଉ ଥାଉ ଜଣେ ଅଧିକାରୀ ଆସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି, ଶିଳାନ୍ୟାସ କରୁଛନ୍ତି, ଅର୍ଥ ମଞ୍ଜୁର କରୁଛନ୍ତି, ଆଉ କ୍ୟାବିନେଟ ମନ୍ତ୍ରୀ ଘରେ ଆଁ କରି ବସି କାବା ହୋଇ ଟିଭିରେ ଦେଖୁଛନ୍ତି । ରାତିରେ ମୁହଁରେ ତକିଆ ଦେଇ କାନ୍ଦୁଛନ୍ତି । ଆଉ ମୋତେ କହୁଛନ୍ତି ପ୍ରଦୀପ ତୁ ଭଲ କାମ କରୁଛୁ । ମୋର ୱାର୍ଡମେମ୍ବରରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କୁ ପ୍ରଶ୍ନ ଯେ ଆମେ କ’ଣ ଏହି ବ୍ୟବସ୍ଥାକୁ ଗ୍ରହଣ କରିବା ?

Leave a comment