ଇସ୍ରୋର ୩ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଅଧିଗ୍ରହଣ କରିବ NSIL: କେ ଶିବନ୍‌

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ (ଏନଏସଆଇଏଲ୍‌) ୩ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଅଧିଗ୍ରହଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମୁଖ୍ୟ କେ ଶିବନ୍‌ କହିଛନ୍ତି । ୩ ଉପଗ୍ରହ GSAT 20, GSAT 22 ଏବଂ GSAT 24 କୁ ଏନଏସ୍ଆଇଏଲ ଅଧିଗ୍ରହଣ କରିବା ସହ ଇସ୍ରୋ ଦ୍ବାରା ବିକଶିତ ଏହି ଉପଗ୍ରହର ମାଲିକାନା ଏବଂ ସଞ୍ଚଳାନ ଦାୟିତ୍ବ ଏହି କମ୍ପାନୀ ଅଧୀନରେ ରହିବ ।

ଅନ୍ତରୀକ୍ଷ ବିଭାଗ ଦ୍ବାରା ଅନୁମୋଦିତ ପ୍ରଥମ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜ୍‌ ଏନଏସଆଇଏଲ୍‌କୁ ଲିଜ୍‌ରେ ସାଟେଲାଇଟ୍‌ ଦେବାକୁ ଯୋଜନା କରାଯାଉଥିବା ନେଇ ଶିବନ୍‌ କହିଛନ୍ତି। ୬ ମାର୍ଚ୍ଚ ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିବା NSIL ଇସ୍ରୋର ବାଣିଜ୍ୟିକ ଅଙ୍ଗ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଉତ୍ପାଦ ଏବଂ ସେବାର ବାଣିଜ୍ୟିକ ଉପଯୋଗ ପାଇଁ ଏହି କମ୍ପାନୀ କାର୍ଯ୍ୟ କରୁଛି।

ବର୍ତ୍ତମାନ ୧୭ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଥିବା ବେଳେ ୮ଟି ନାଭିଗେସନ୍‌ ସାଟେଲାଇଟ୍‌ ରହିଛି। ଏହା ବ୍ୟତୀତ ଇସ୍ରୋ ପାଖରେ ୧୭ଟି ଅବଜରଭେସନ୍‌ ସାଟେଲାଇଟ୍‌ ରହିଛି ।ଇସ୍ରୋ ମୁଖ୍ୟଙ୍କ ମତରେ ଜିସାଟ-୨୪କୁ ଚଳିତବର୍ଷ ଶେଷ କିମ୍ବା ୨୦୨୨ ଜାନୁଆରୀ ସୁଦ୍ଧା ଲଞ୍ଚ ପାଇଁ ପ୍ରସ୍ତୁତ କରାଯିବ। ଅନ୍ୟ ଦୁଇ ଉପଗ୍ରହ ଜିସାଟ୍‌ ୨୦ ଏବଂ ଜିସାଟ୍‌ ୨୨ ନିର୍ମାଣଧୀନ ରହିଥିବା ନେଇ କେ ଶିବନ୍‌ କହିଛନ୍ତି।

ଜିସାଟ୍‌ ୨୦କୁ ଜିଓସିଂକ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ ଭେଇକିଲ୍‌ ମାର୍କ ୩ ମାଧ୍ୟମରେ ଲଞ୍ଚ କରାଯିବ। ଏଥି ନିମନ୍ତେ ୨୦୨୧-୨୨ ବଜେଟ୍‌ରେ ଅନ୍ତରୀକ୍ଷ ବିଭାଗକୁ ୧୩,୯୪୯ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ସହ ଏନଏସଆଇଏଲ୍‌କୁ ୭୦୦ କୋଟି ଟଙ୍କା ଦିଆଯାଇଥିବା ଜଣାପଡ଼ିଛି ।

Leave a comment