ଭାରତ ବିପକ୍ଷ ମ୍ୟାଚ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକଦାଶ ଘୋଷଣା

ଆସନ୍ତାକାଲି ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ୫ମ ଟେଷ୍ଟ। ବର୍ମିଂହାମର ଏଜବାଷ୍ଟନରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ପାଇଁ ଆଜି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକଦାଶ ଘୋଷଣା କରିଛି। ଏହି ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ୧-୨ରେ ପଛରେ ରହିଛି। ତେଣୁ ଦଳ ଫୁଲଦମରେ କାଲି ପଡ଼ିଆକୁ ଓହ୍ଲାଇବ।
ଏଥିପାଇଁ ଆଜି ଠାରୁ ହିଁ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି।
ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଇଂଲଣ୍ଡ ଟିମ୍କୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ କମବ୍ୟାକ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଖେଳୁ ନଥିଲେ। ସେ ଜେମି ଓଭରଟନଙ୍କ ବଦଳରେ ଚୂଡ଼ାନ୍ତ ଏକଦାଶରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ କୋରନା ଯୋଗୁ ବେନ ଫକ୍ସ ଖେଳି ନଥିଲେ। ତାଙ୍କ ବଦଳରେ ସାମ ବିଲିଙ୍ଗ୍ସ ସୁଯୋଗ ପାଇଥିଲେ। ଏବେ ଭାରତ ବିପକ୍ଷ ଟେଷ୍ଟରେ ମଧ୍ୟ ସାମ ବିଲିଙ୍ଗ୍ସ ହିଁ ଖେଳିବେ।
ଇଂଲଣ୍ଡ କ୍ରିକେଟ ବୋର୍ଡ ଗୋଟିଏ ବିବୃତିରେ କହିଛି, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଜିତିଥିବା ଦଳରେ ଗୋଟିଏ ମାତ୍ର ପରିବର୍ତ୍ତନ କରାଯାଇଛି। ଜେମ୍ସ ଆଣ୍ଡରସନ ଅଲରାଉଣ୍ଡର ଜେମି ଓଭରଟର୍ଣ୍ଣଙ୍କ ବଦଳରେ ସାମିଲ ହୋଇଛନ୍ତି।
ଇଂଲଣ୍ଡ ଟିମ୍ ପାଇଁ ଆଲେକ୍ସ ଲି ଓ ଜାକ କ୍ରାଉଲି ପୂର୍ବ ଭଳି ଇଂନିସ ଆରମ୍ଭ କରିବେ। ଓଲି ପପ ୩ନଂରେ ବ୍ୟାଟିଂ କରିବାକୁ ଥିବା ବେଳେ ୪ର୍ଥରେ ଅଭିଜ୍ଞ ଜୋ ରୁଟ୍ ରହିଛନ୍ତି। ୫ମରେ ଇନ ଫର୍ମ ଜନ୍ନି ବେୟାରଷ୍ଟୋ ଓ ୬ନଂ ସ୍ଥାନରେ ଅଧିନାୟକ ବେନ ଷ୍ଟୋକ୍ସ ରହିଛନ୍ତି। ଇଂଲଣ୍ଡର ବୋଲିଂ ବାହିନୀ ଦାୟିତ୍ୱ ଭେଟରାନ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ସମ୍ଭାଳିବେ।
ଏମାନଙ୍କୁ ସହଯୋଗ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିବା ଯୁବ ତାରକା ମାଥ୍ୟୁ ପଟ୍ଟ୍ସ ଅଛନ୍ତି। ଦଳରେ ଏକମାତ୍ର ସ୍ପିନର ଭାବେ ଜ୍ୟାକ ଲିଚ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
ଗତବର୍ଷ ଶେଷ ଭାଗରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଇଥିଲା। ଏହି ସିରିଜ୍ରେ କରୋନା ପ୍ରବେଶ କରିବାରୁ ଶେଷ ତଥା ୫ମ ମ୍ୟାଚ୍ ଖେଳା ଯାଇ ପାରି ନଥିଲା। ଖେଳା ଯାଇଥିବା ୪ଟି ମ୍ୟାଚ୍ରୁ ଭାରତ ୨ଟିରେ ଜିତିଥିବା ବେଳେ ଗୋଟିଏରେ ହାରିଛି। ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲେ। ଏବେ ବାକି ରହିଥିବା ଶେଷ ମ୍ୟାଚ୍ କାଲିଠାରୁ ଏଜବାଷ୍ଟନରେ ଖେଳାଯିବ।