ହୃଦୟ ବଦଳ ମିଳିଲା ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମରେ ନିଜ ହିତା ହିତ ଜ୍ଞାନ ହରାଇ ମଣିଷ କରିବସେ ଜଘନ୍ୟ ଅପରାଧ। ନିଜ ପ୍ରେମକୁ ସଫଳ କରିବାକୁ ସେ କିଛି ବି କରିପାରେ। ଏହି ପରିି ଏକ ତ୍ରିକୋଣୀୟ ପ୍ରେମର ପରିଣତି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଏଠାରେ ତ୍ରିକୋଣୀୟ ପ୍ରେମ ଜଣେ ଯୁବକଙ୍କ ଜୀବନ ନେଇଯାଇଛି। ମୃତ ଯୁବକ ହେଲେ ଶାନ୍ତୁନୁ କଅଁର। ପ୍ରେମିକାକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟତମ ପ୍ରେମିକ ଫେରାର ହୋଇଯାଇଛି।

ଘଟଣା କ୍ରମେ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘୁଲୁଘୁଲାପଦର ଗାଁରେ ଫିଲ୍ମ ଷ୍ଟାଇଲରେ ଜଣେ ପ୍ରେମିକାକୁ ଦୁଇଜଣ ପ୍ରେମିକ ଭଲପାଉଥିଲେ । ସମସ୍ତେ ଗୋଟିଏ ଗାଁର ହୋଇଥିବାରୁ ଦୁଇ ଯୁବକ ଜାଣିବାକୁ ପାଇଲେଯେ ସେମାନଙ୍କ ପ୍ରେମିକା ଜଣେ। ହେଲେ କେହି କାହାକୁ ରାସ୍ତା ଛାଡିବାକୁ ନାରାଜ ଥିଲେ। ଏଥିରୁ ଆରମ୍ଭ ହୋଇଥିଲା ବିବାଦ। କଥା ବାଦ ବିବାଦରୁ ବହୁ ଆଗକୁ ବଢ଼ିବାର ଫଳ ଆଜି ଦେଖିବାକୁ ମିଳିଛି। ଆଜି ସକାଳରେ ଶାନ୍ତନୁଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ପ୍ରେମିକ ଶାନ୍ତନୁକୁ ଶାବଳରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପାଖରୁ ପୋଲିସ୍‌ ଏକ ଭ୍ୟାନିଟି ବ୍ୟାଗ ଜବତ କରିଛି। ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ପ୍ରେମିକାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Leave a comment