ଲଘୁଚାପ ଆଜି ବାତ୍ୟା ରୂପ ନେଇପାରେ: ସ୍ୱତନ୍ତ୍ର ରିଲିଫ୍ କମିସନର୍
ଓଡ଼ିଶାଫାଷ୍ଟ(ବ୍ୟୁରୋ): ଲଘୁଚାପ ଅବପାତ ରୂପ ନେଇଛି। ଏହା ଆଜି ବାତ୍ୟା ରୂପ ନେଇପାରେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି। ଏବେ ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଆଗାମୀ ୧୭ ତାରିଖ ସଂଧ୍ୟାରେ ବାତ୍ୟାର ଗତି ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି। ଏହା ବେଙ୍ଗଲ ଉପକୂଳକୁ ଗତି କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି। ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ହେବ । ୨୦ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ । ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।