ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେସନର ଆଜି ତୃତୀୟ ଦିନ । ଆଜି ବି ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଚାଲିପାରିଲାନି ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ଦ୍ବିତୀୟ ଦିନରେ ଷ୍ଟାଫ୍ ସିଲେକ୍ସନ କମିଶନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ହେଲେ କାହିଁକି ଏହା ଉପରେ ଆଲୋଚନା କରାଗଲା ନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର । ତେଣୁ ଏନେଇ ଗୃହରେ ଆଲୋଚନା କରିବାକୁ ଦାବି କରିଛି କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଶକ୍ତି, କ୍ରୀଡା ଓ ଯୁବକଲ୍ୟାଣ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟେଗ ଆଦି ବିଭାଗ ଉପରେ ଆଲୋଚନା ହେବାର ଥିଲା । ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥାନ୍ତେ ବିଭାଗୀୟ ମନ୍ତ୍ରୀ ।

ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଜି ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନି ।

Leave a comment