ବୈତରଣୀ ବ୍ୟାରେଜ ପାଇଁ ୧୧୮ କୋଟି ବ୍ୟୟବରାଦ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ବୈତରଣୀ ନଦୀ ଉପରେ ହେବ ବ୍ୟାରେଜ୍ । ଏଥିପାଇଁ ଓଡ଼ିଶା ସରକାର ୧୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପଦ୍ୱାରା ଯାଜପୁର ଜିଲ୍ଲାର ପ୍ରାୟ ୧୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ମୁତାବକ ବୈତରଣୀ ନଦୀ ଓଡ଼ିଶାର ୬ ବୃହତ ନଦୀ ମଧ୍ୟରୁ ଅନ୍ୟତମ । ୮୦ କିଲୋମିର ସୁଦୀର୍ଘ ଏହି ନଦୀର ଉତ୍ପତ୍ତିସ୍ଥଳ ହେଉଛି କେନ୍ଦୁଝରର ଗୋନାସିକା । ୮ଜିଲ୍ଲାର ୪୨ ବ୍ଲକ୍ର ଲକ୍ଷାଧିକ ଲୋକ ଉକ୍ତ ନଦୀ ଉପରେ ନିର୍ଭରଶୀଳ । ଏବେ ବୈତରଣୀ ନଦୀ ଉପରେ ବ୍ୟାରେଜ ହେଲେ ବିଶେଷକରି ଯାଜପୁର ଜିଲ୍ଲାର ଲୋକେ ବେଶୀ ଉପକୃତ ହେବେ । ଏ ସମ୍ପର୍କରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ବୈତରଣୀ ଉପରେ ବ୍ୟାରେଜ ନିର୍ମାଣ ନେଇ ଦୀର୍ଘଦିନରୁ ଦାବି ହେଉଥିଲା । ତାହା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି । ଖୁବ୍ଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ ପାଇଛି ।