ବସ୍ ଓଲଟି ୭ ମୃତ, ୪୦ରୁ ଅଧିକ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଥିବା ବେଳେ ଖବର ଲେଖାଯିବା ସୁଦ୍ଧା ୩ ଜଣ ଯାତ୍ରୀ ସେଥିରେ ଫସି ରହିଛନ୍ତି। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ‘ମାରୁତି‘ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୋର୍‌ ପ୍ରାୟ ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ଏ ଦୁର୍ଘଟଣା ଘଟିଥିଲା। ବ୍ରେକ୍‌ ଫେଲ୍ ହୋଇଯିବା ଯୋଗୁ ବସ୍‌ଟି ନିୟନ୍ତ୍ରଣ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ବସ୍‌ରେ ଏବେବି ୩ ଯାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଗ୍ୟାସ୍ କଟର୍‌ର ସାହାଯ୍ୟ ନିଆଯିବ ବୋଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଶ୍ରୀ ସେଠୀ କହିଛନ୍ତି, “ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଦମକଳବାହିନୀ ଲାଗିଛନ୍ତି। ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି ଓ ବ୍ରହ୍ମପୁରର ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୪୦ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ଡେପୁଟି ଫାୟାର ଅଫିସର୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।” ବସ୍‌ର ଜଣେ ଯାତ୍ରୀ କହିଛନ୍ତି, ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ବସ୍‌ଟି ଏକ ଢାବା ପାଖରେ ଅଟକି ଥିଲା। ସେଠି ସମସ୍ତେ ଚା’ ପିଇଥିଲେ। ତା’ପରେ ବସ୍ ଚାଲିଥିଲା। ତେବେ ହଠାତ୍ କୁହାଯାଇଥିଲା ଯେ ବସ୍‌ ବ୍ରେକ୍ ଫେଲ୍ ହୋଇଯାଇଛି। ଆଉ ଦେଖୁ ଦେଖୁ ଏହା ପୋଲ ତଳକୁ ଖସି ପଡ଼ିଥିଲା।

Leave a comment