ବିଜେପିର ଦୁଇ ବିଧାୟକଙ୍କ ନାଁରେ ମାମଲା ରୁଜୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ ୧୯ ନିୟମ ଉଲଂଘନ କରିବା ଅଭିଯୋଗରେ ରାଜ୍ୟ ବିଜେପିର ଦୁଇ ବିଧାୟକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସମେତ ୧୦ଜଣ କର୍ମୀଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୁଲିସ କେସ ନଂ ୨୭୩/୨୦ରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ,ମଙ୍ଗଳବାର ଅପରାହ୍ନରେ ଦୁଇ ବିଧାୟକଙ୍କ ସମେତ ବିଜେପିର କେତେକ କର୍ମୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସ୍ମାରକପତ୍ର ଦେବାକୁ ଜିଲ୍ଲାପାଳ ଅଫିସ ଅଭିମୁଖେ ଶୋଭାଯାତ୍ରା କରି ଯାଇଥିଲେ । କୋଭିଡ୍ କଟକଣା ଯୋଗୁଁ ବିନା ଅନୁମତିରେ ଜିଲ୍ଲାପାଳଙ୍କ ଅଫିସକୁ ପ୍ରବେଶ ନିଷେଧ ରହିଛି । ଏନେଇ ଅଫିସ ଗେଟ୍ ବାହାରେ ପୁଲିସ ପହରା ଦେଉଥିଲେ। ଏତେ ସଂଖ୍ୟାରେ ଭିଡ଼ ଦେଖି ପୁଲିସ ଭିତରକୁ ଯିବାକୁ ସେମାନଙ୍କୁ ଅନୁମତି ଦେଇନଥିଲା। କର୍ତୁପକ୍ଷଙ୍କ ବିନା ଅନୁମତିରେ ଭିତରକୁ କାହାରିକୁ ଛଡ଼ାଯିବ ନାହିଁ ବୋଲି ପୁଲିସ କହିଥିଲା। ହେଲେ ସେମାନେ ଭିତରକୁ ଯିବାକୁ ଜିଦ୍ ଧରି ବସିଥିଲେ।
କୋଭିଡ୍ କଟକଣା ଯୋଗୁଁ ଦାବିପତ୍ରଟି ସମ୍ବଲପୁର ଉପଜିଲ୍ଲାପାଳଙ୍କୁ ମୁଖ୍ୟଗେଟ୍ ପାଖରେ ଦେବା ପାଇଁ ଆନ୍ଦୋଳନକାରୀଙ୍କୁ ପୁଲିସ କହିଥିଲେ। ଉପଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ପାଇଁ ମଧ୍ୟ ରାଜି ହୋଇଯାଇଥିଲେ। ହେଲେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଦାବି କରିଥିଲେ। ଶେଷରେ ସେମାନେ ପୁଲିସକୁ ଧସେଇ ଜିଲ୍ଲାପାଳ ଅଫିସ ପରିସରକୁ ପଶିଥିଲେ। ପୁଲିସ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଗାଳିମନ୍ଦ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଅଫିସ ଭିତରେ କାର୍ଯ୍ୟ କରୁଥିବା ବେଳେ ଆନ୍ଦୋଳନକାରୀମାନେ ସେଠାକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।