ହାଏରେ କପାଳ ବିଧାୟକ ହେବା ଲୋଭରେ ଗଲା ସାଂସଦ ହେବା ସୌଭାଗ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପରାଜୟ ବରଣ କରିଛନ୍ତି । ଅବଶ୍ୟ ବିଜେପିର ଭୋଟ ସଂଖ୍ୟା ଅନେକ ଗୁଣ ବଢି ଯାଇଛି ମାତ୍ର ବିଜୟଙ୍କ ସ୍ୱାଭିମାନ ହାରିଯାଇଛି । ଏହିସବୁ ବିଷୟ ମଧ୍ୟରେ ଗୋଟିଏ କଥା ସମ୍ନାକୁ ଆସିଛି ସେହେଲା ବିଜୟ ଓ ବିଜେଡି ମଧ୍ୟରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିବା କିଛି ଗୁପ୍ତ ଆଲୋଚନା । ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞ କହୁଛନ୍ତି ବିଜୟ ବାବୁ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି ।
ସୁଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଉରକେଲା ବ୍ରାହ୍ମଣି ନଦୀ ଉପରେ ଦ୍ଵିତୀୟ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଦେଇଥିବା ପ୍ରତିଶୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରିନଥିବାରୁ ଓ ଦଳରେ ଅବହେଳିତ ହେଉଥିବା ଅଭିଯୋଗ କରି ରାଉରକେଲା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ବିଜେପି ଦଳରୁ ଇସ୍ତଫା ଦେଇଥିଲେ । ଏହା ପରେପରେ ବିଜେପି ଦଳର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ବିଜେପି ଦଳରେ ଅବହେଳିତ ହେଉଥିବା ଦର୍ଶାଇ ଦଳରୁ ଇସ୍ତଫା ଦେଇଥିଲେ । ସେ ସମୟରେ ସେମାନେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଯୋଗଦାନ ପ୍ରକ୍ରିୟାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଦିଲ୍ଲୀପ । ସେ ବିଦେଶ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କ ସହ ଆଲୋଚନା କରିଥିଲେ । ସେ ସମୟରେ ବିଜେଡି ଦିଲ୍ଲୀପଙ୍କୁ ଦଳରେ ସାମିଲ କରିବାକୁ ଖୁବ ଇଛୁକ ଥିବାବେଳେ ବିଜୟଙ୍କୁ ନେଇ ଦ୍ଵନ୍ଦରେ ଥିଲା । କାରଣ ମୁଖ୍ୟମନ୍ତ୍ରୀ ନିଜ ବାପାଙ୍କ ସହ ବିଜୟ ଯେଉଁ ବିଶ୍ଵସଘାତ କରିଥିଲେ ତାହା ସେ ଭୁଲି ପାରିନଥିଲେ । ସେ ବିଜୟଙ୍କୁ ବିଧାନସଭା ମାଟି ମଡ଼ାଇ ନଦେବାକୁ କରିଥିବା ପଣ ମଧ୍ୟ ମନେ ରଖିଥିଲେ । ଏହିପରି କିଛିଦିନ ଚାଲିବାପରେ ଏହାର ଏକ ନିଷ୍କର୍ଷ ବାହାର କରାଗଲା । ତାହାହେଲା ବିଜୟ ଗୋଟିଏ ସର୍ତ୍ତରେ ବିଜେଡିରେ ସାମିଲ ହୋଇପାରିବେ ଯଦି ସେ କେନ୍ଦ୍ରାପଡାରୁ ବୈଜୟନ୍ତଙ୍କ ବିରୋଧରେ ଶାସକ ଦଳ ତରଫରୁ ସାଂସଦ ପ୍ରାର୍ଥୀ ହେବେ ଏବଂ ଦିଲ୍ଲୀ ରାଜନୀତିରେ ସକ୍ରିୟ ରହିବେ । ମାତ୍ର ବିଜୟଙ୍କ ବିଧାନସଭା ଲୋଭ ତାଙ୍କ ରାସ୍ତାର କଣ୍ଟା ସାଜିଥିଲା । ସେ ବିଧାୟକ ହେବା ଆଶାରେ ସାଂସଦ ହେବାରୁ ମଧ୍ୟ ବଞ୍ଚିତ ହେଲେ ।
ଏହିସବୁ ମଧ୍ୟରେ ଦିଲ୍ଲୀପ ବିଜୟଙ୍କୁ ଛାଡି ବିଜେଡିରେ ଯୋଗଦେଲେନାହିଁ କିମ୍ୱା ବିଜେପିରେ ମଧ୍ୟ ଯୋଗ ଦେଲେନାହିଁ । ଏପରିକି ନିଜ ବନ୍ଧୁତ୍ବ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଦିଲ୍ଲୀପ ଓ ବିଜୟଙ୍କ ଯୋଡି ପାଟକୁରା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ । ସେଥିପାଇଁ ଏବେ ରାଜନୈତିକ ବିଶେଷଜ୍ଞ ମାନେ କହୁଛନ୍ତି ବିଜୟ ସାଂସଦ ହେବା ସୁଯୋଗ ଛାଡି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି ।