ଭୁଶୁଡିଲା ନିର୍ମାଣାଧୀନ କୋଠା; ୮ମୃତ

0

କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡ଼ିବାରୁ ୨ ମହିଳାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । କୋଲକାତା ପୁଲିସ୍ ପକ୍ଷରୁ ଘଟଣା ସମ୍ପର୍କରେ ମିଳିଥିବା ସୂଚନାନୁସାରେ ଏଠାରେ ଏକ ବିଲ୍ଡିଂର ନିର୍ମାଣ ଚାଲିଥିବା ବେଳେ ଦୁର୍ଭାଗ୍ୟବଶତଃ ଏହା ଭୁଶୁଡିଯାଇଥିଲା ।

ତେବେ ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୪ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସୁତରାଂ ଏମାନେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯିବା ସହ ଉଦ୍ଧାରକାରୀ ଦଳ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ରହିଥିବା ପୁୂଲିସ୍ କହିଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଜି ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଛି ଦିନ ତଳେ ନିଜ ବାସଭବନରେ ପଡିଯାଇ ମୁଣ୍ଡରେ ଗଭୀର ଆଘାତ ପାଇଥିବା ମମତା ଆଜି ମୁଣ୍ଡରେ ପଟି ବାନ୍ଧି ଆସିଥିବା ଦେଖିବାକୁ ମିଳିଥିଲା । ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ସେ ସେସବୁକୁ ଭ୍ରୁକ୍ଷେପ କରି ଦୁର୍ଘଟଣାସ୍ଥଳକୁ ଆସିଥିଲେ । ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବା ସମୟରେ ମମତା, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି । ସେହିପରି ସରକାରୀ ପ୍ରଶାସନିକ ଅଧିକାରୀଙ୍କୁ ପୀଡ଼ିତଙ୍କ ପରିବାରକୁ ଆର୍ଥିକ ସହାୟତା ସହ ସବୁପ୍ରକାର ସହାୟତା, ସହଯୋଗ ଯୋଗାଇଦେବାକୁ ମଧ୍ୟ ମମତା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କୋଲକାତା ସହର ମେୟର ଫିରହାଦ୍ ହକିମ୍ କହିଛନ୍ତି, ଭୁଶୁଡି ପଡ଼ିଥିବା ବିଲ୍ଡିଂଟି ସମ୍ପୂର୍ଣ୍ଣ ରୂପେ ବେଆଇନ୍ ଭାବେ ନିର୍ମାଣ କରାଯାଉଥିଲା ବୋଲି ଜଣାପଡିଛି । ସୁତରାଂ ବିଲ୍ଡିଂର ପ୍ରମୋଟର ମହମ୍ମଦ ୱାସିମ୍‌ଙ୍କୁ ଗିରଫ କରାଯାଇଛି ଏବଂ ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ, ରାଜ୍ୟ ଅଗ୍ନିଶମ ବିଭାଗ ଏବଂ କୋଲକାତା ପୁଲିସ୍ ମିଳିତ ଭାବେ କାର୍ଯ୍ୟକରୁଛନ୍ତି ।

Leave a comment