ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼  ୨୦୨୩ର ଶ୍ରେଷ୍ଠ ସାଂସଦରେ ସମ୍ମାନିତ ହେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼  ୨୦୨୩ର ଶ୍ରେଷ୍ଠ ସାଂସଦର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ତାଙ୍କ ସହ କଂଗ୍ରେସ ସାଂସଦ ଶଶୀ ଥରୁର୍‌ଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଜ୍ୟସଭାରୁ ବିଜେଡି ସାଂସଦ ସସ୍ମିତ ପାତ୍ର ଏବଂ କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁରଙ୍କୁ ମଙ୍ଗଳବାର ଦିନ ଲୋକସଭା ସଂସଦ ପୁରସ୍କାର ପାଇଁ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ କରାଯାଇଥିଲା। ଥରୁର ଏବଂ ପାତ୍ରଙ୍କ ବ୍ୟତୀତ ଦୁଇ ଗୃହର ଅନ୍ୟ ୬ ଜଣ ସାଂସଦ ମଧ୍ୟ ସଂସଦରେ ଅବଦାନ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ଗ୍ରହଣ କରିଥିଲେ। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ଓ ବିଜେପି ଲୋକସଭା ସାଂସଦ ମାନେକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି। ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ଭାବରେ ପୁରସ୍କୃତ କରାଯାଇଛି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସାଂସଦମାନଙ୍କୁ ପୁରସ୍କୃତ କରିଥିଲେ ।

କହିରଖୁ କି, ପ୍ରତିବର୍ଷ ଲୋକମତ ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼ ଦକ୍ଷ ସଦସ୍ୟଙ୍କୁ ଦିଆଯାଇଥାଏ । ଚାରିଜଣ ଲୋକସଭାରୁ ଏବଂ ଚାରିଜଣ ରାଜ୍ୟସଭାରୁ। ଲୋକମତ ପାର୍ଲାମେଣ୍ଟାରୀ ଆଓ୍ବାର୍ଡ଼ର ଏହା ହେଉଛି ପଞ୍ଚମ ସଂସ୍କରଣ । ଶ୍ରେଷ୍ଠ ସାଂସଦ କିଏ ହେବ ତାହା ପୁରସ୍କାର କମିଟି ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ୍ ସୁଭାଷ କାଶ୍ୟପଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଦ୍ୱାରା ମନୋନୀତ ହୋଇଥାଏ।

Leave a comment