ରାଣୀ ପ୍ରତ୍ୟୁଷା ବଦଳେଇଲେ ନିଷ୍ପତ୍ତି ହାତ ନୁହେଁ ଧରିଲେ ପଦ୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଣୀ ପ୍ରତ୍ୟୁଷା ଦେବୀ ଆଜି ବଜେପିରେ ଯୋଗ ଦେଇଛନ୍ତି । କିଛିଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ପରେ ପ୍ରତ୍ୟୁଷା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ମାତ୍ର ଆଜି ହଠାତ ପ୍ରତ୍ୟୁଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ଓ କନକ ବର୍ଦ୍ଧନ ସିଂଦେଓ ଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଫିସରେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସମର୍ଥକମାନେ ତାଲା ପକାଇ ଦେଇଥିବାରୁ କନକ ବର୍ଦ୍ଧନ ସିଂଦେଓଙ୍କ ଘରେ ଏହି ମିଶ୍ରଣ ପର୍ବ ହୋଇଥିଲା ।

ସୂଚନା ଅନୁଯାୟୀ, ରାଣୀ ପ୍ରତ୍ୟୁଷା ଦେବୀ ଏଥର କନ୍ଧମାଳ ଲୋକସଭା ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିନଥିଲେ । କିଛିଦିନ ତଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଓ ଅନୁରୋଧ କରି କହିଥିଲେ ସ୍ୱାମୀଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ନୟାଗଡ଼ରୁ ବିଧାନସଭା ଆସନ ପାଇଁ ଲଢ଼ିବେ । ସ୍ୱାମୀ ହେମେନ୍ଦ୍ରଙ୍କ ନିଜ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କାମ କରିବାର ପ୍ରବଳ ଇଚ୍ଛା ଥିଲା । ତେଣୁ ସ୍ୱାମୀଙ୍କ ଶେଷ ଇଚ୍ଛା ପୁରଣ କରିବାକୁ ସେ ଇଛୁକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମାତ୍ର ନୟାଗଡ଼ ଅରୁଣଙ୍କ ଗଡ଼ । ବିଗତ ୧୫ ବର୍ଷର ସଙ୍ଗଠନକୁ ହାତଛଡା କରିବାକୁ ଅରୁଣ ନାରାଜ । ଅରୁଣ ସାହୁଙ୍କୁ ରଣପୁର ଆସନକୁ ପଠାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅରୁଣ ଏହାକୁ ନାପସନ୍ଦ କରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ଶେଷରେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ । ଅରୁଣଙ୍କୁ ନୟାଗଡ଼ରୁ ଟିକେଟ ଦିଆଯିବା ପ୍ରାୟତଃ ସ୍ଥିର ହୋଇଥିବାରୁ ଏହାକୁ ବିରୋଧ କରିଛନ୍ତି ରଣୀ ପ୍ରତ୍ୟୁଷା ଦେବୀ । ନୟାଗଡ଼ର ବିଜେଡି ଟିକେଟ ନପାଇଲେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼େବେ ବୋଲି ଅଣ୍ଟା ଭିଡିଥିଲେ ରାଣୀ ପ୍ରତ୍ୟୁଷା ଦେବୀ । ମାତ୍ର ଆଜି ସକାଳୁ ହଠାତ ସେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ରାଣୀ ପ୍ରତ୍ୟୁଷା କହିଲେ, “ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବି । କେବଳ ନୟାଗଡ଼ ବାସୀଙ୍କ ପାଇଁ କାମ କରିବି” ।

Leave a comment