ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

0

ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ବ୍ରତଧାରୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏ ବର୍ଷର ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ।

ଭିଡିଓ କନଫରେନ୍ସି ପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୫ଟି ରହଣି କେନ୍ଦ୍ର କରାଯାଇଛି। ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ଅକ୍ଷୟପାତ୍ର ଫାଉଣ୍ଡେଶନ, ବାଗେଡ଼ିଆ ଧର୍ମଶାଳା ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳୀଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଏହି ଯୋଜନାରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ୩, ୦୨୪ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀ ୮୭୫, ଗଞ୍ଜାମ ୩୮୫, ନୟାଗଡ଼ ଜିଲ୍ଲାରୁ ୩୧୦ ଜଣ ହବିଷ୍ୟାଳୀ ରହିଛନ୍ତି। ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୨, ୫୦୦ ବ୍ରତଧାରୀ ନିଜ ନିଜ କେନ୍ଦ୍ରରେ ପହଞ୍ଚି ପରିଚୟପତ୍ର ସଂଗ୍ରହ କରି ରହିଛନ୍ତି। ଅନ୍ୟମାନେ ରବିବାର ସୁଦ୍ଧା ପହଞ୍ଚିଯିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବ୍ରତଧାରୀଙ୍କ ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ ଓ ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସୁରକ୍ଷିତ ସ୍ନାନ, ସ୍ୱଛାସେବୀ ସହଯୋଗ ପାଇଁ ସମ୍ପୃକ୍ତ ବିଭାଗ, ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଶନିବାର ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି।

 

Leave a comment