ବିଦ୍ୟୁତ ବିଭାଗରେ ୪୧୨ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଯୁବ ଶକ୍ତି ପାଇଁ ନୂଆ ସୁଯୋଗ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ଆଜି ୪୧୨ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ନବ ନିଯୁକ୍ତଙ୍କ ମଧ୍ୟରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ କାର୍ଯ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ସାମିଲ ଅଛନ୍ତି ।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶାସନ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ମନ୍ତ୍ର ଆପଣେଇଥିବା ମତ ରଖିବା ସହ ସମସ୍ତ ନୂତନ ବୃତ୍ତିଗତମାନଙ୍କୁ ୫-ଟି ମନ୍ତ୍ରର ଅନୁପାଳନ କରିବାକୁ ଆହ୍ୱାନ ଦେଇଥିଲେ । ୫-ଟି ମନ୍ତ୍ର ଅନୁପାଳନ ଦ୍ୱାରା ଆମେ ନିଶ୍ଚିତଭାବେ ରାଜ୍ୟବାସୀଙ୍କୁ ଗୁଣାତ୍ମକ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇଦେବାକୁ ନେଇ ଆମର ଲକ୍ଷ୍ୟ ହାସଲ କରିପାରିବା । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ତଥା ପରିବହନ ଏବଂ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ତାଙ୍କ ସରକାର ବିଦ୍ୟୁତ୍ କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ କରୁଛନ୍ତି । ବର୍ତ୍ତମାନ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ଅଟେ ।
୨୦୦୦ ମସିହାରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୬ଲକ୍ଷରୁ ବର୍ତ୍ତମାନ ତାହା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ରାଜ୍ୟ ବର୍ଷବ୍ୟାପୀ ଏହାର ସର୍ବାଧିକ ବିଜୁଳି ଆବଶ୍ୟକତା ୫୩୦୦ ମେଗାୱାର ବିଜୁଳି ଚାହିଦାକୁ ସହଜରେ ପୂରଣ କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହପରି କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ ଯେ ଓଡ଼ିଶାରେ କ୍ରମାଗତ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ବିଜୁଳି ଚାହିଦା ପ୍ରବଳ ବୃଦ୍ଧି ପାଇଛି । ତେଣୁ ସମସ୍ତଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା ଆମ ପାଇଁ ଏକ ବଡ଼ ଦାୟିତ୍ୱ ଅଟେ । ସଫଳତା ପାଇବା ପାଇଁ ୫-ଟି ମନ୍ତ୍ରର ଅନୁପାଳନ କରିବାକୁ ଏହି ଅବସରରେ ଶକ୍ତିମନ୍ତ୍ରୀ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସମସ୍ତ ନବନିଯୁକ୍ତ ଯୁବକଙ୍କ ପାଇଁ ଏହା ଏକ ମାଇଲଷ୍ଟୋନ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ରାଜ୍ୟ ଶକ୍ତିକ୍ଷେତ୍ରରେ ଓପିଟିସିଏଲର ଯୋଗଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ୧୯୩ ଗ୍ରୀଡ ସବଷ୍ଟେସନ ସହ ଏହା ରାଜ୍ୟରେ ବିଦ୍ୟୁତ୍ ସଞ୍ଚରଣ ଭିତ୍ତିଭୂମିରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓପିଟିସିଏଲର ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୦ ମସିହା ପରଠାରୁ ଓପିଟିସିଏଲ ପ୍ରାୟ ୨୩୦୦ ବୃତ୍ତିଧାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିଛି । ସେହିପରି ଚଳିତ ବର୍ଷ ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରାୟ ୩୦୦ ପଦବୀ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେହପିରି ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଉଲ୍ଲେଖ କରିବା ସହ ଏହାର ଅଗ୍ରଗତି ଉପରେ ସେ ବ୍ୟକ୍ତିଗତ ଭାବେ ନଜର ରଖିବେ ବୋଲି ଏହି ଅବସରରେ କହିଥିଲେ।