ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ
କର୍ଣ୍ଣାଟକ ରାଜନୀତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଖବର ମୁତାବକ, ଡିକେ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯଚା ଯାଇଥିଲା କିନ୍ତୁ ସେ ରାଜି ନାହାନ୍ତି ।
ଏହି ପଦବି ନେବାକୁ ମନା କରି ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ପାଇଁ କାନ୍ଥିରାଓ୍ଵା ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସମାରୋହ ବାତିଲ ହୋଇଯାଇଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କଂଗ୍ରେସ କ୍ଷମତାକୁ ଆସିଲା । ହେଲେ ଏହାପରେ ହିଁ ଆରମ୍ଭ ହୋଇଗଲା କ୍ଷମତା କନ୍ଦଳ । ଉଭୟ ସିଦ୍ଦରମେୟା ଏବଂ ଶିବକୁମାର ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ । ଏମାନେହିଁ ଥିଲେ ବିଜୟର କର୍ଣ୍ଣଧାର । ତେଣୁ ଆଶା କରିବା ଥିଲା ସ୍ୱାଭାବିକ । ହେଲେ ପଦରେ ତ ବସିବେ ଜଣେ । ତେଣୁ ହାଇକମାଣ୍ଡଙ୍କୁ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ପଡ଼ିଲା । ଦୁହିଁଙ୍କୁ ଦିଲ୍ଲୀ ଡାକିଲେ କଂଗ୍ରେସ ହାଇକମାଣ୍ଡ ।
ଆଜିର ବୈଠକରେ ରାହୁଲ ଗାନ୍ଧି, କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସିଦ୍ଦରମୈୟା, ଶିବକୁମାର ଉପସ୍ଥିତ ରହିଥିଲେ । ଡି.କେ ଶିବକୁମାରଙ୍କୁ ୬ଟି ବିଭାଗର ମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଡି.କେ ଏହି ଅଫରକୁ ଗ୍ରହଣ କରି ନାହାନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନରେ ଶିବକୁମାର ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଶିବକୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଥିଲେ।