ତୁର୍କୀ ସେନାଙ୍କୁ ବିବାଦ ସଫଳତା; ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ

0

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌ କହିଛନ୍ତି, ଅନେକ ଦିନରୁ ଗୁଇନ୍ଦା ଏଜେନ୍ସୀ ଆଇଏସ୍‌ଆଇଏସର ମୁଖ୍ୟକୁ ଖୋଜୁଥିଲା ।

ଗତ ଫେବୃଆରୀରେ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ଆଇଏସ୍‌ ସଂଗଠନର କମାଣ ସମ୍ଭାଳିଥିଲା । ଗତ ଶନିବାର ରାତିରେ ସିରିଆରେ ତାକୁ ତୁର୍କୀର ଏମଆଇଟି ଗୁଇନ୍ଦା ଏଜେନ୍ସୀ ଆରମ୍ଭ କରିଥିଲା ଅପରେସନ୍‌ । ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ ହୋଇଥିବା ତୁର୍କୀ ଦାବି କରିଥିଲେ ବି ଏଯାଏ ଇସଲାମିକ୍‌ ଷ୍ଟେଟ୍‌ କୌଣସି ପ୍ରତିକ୍ରିୟା ଦେଇନି ।

ତୁର୍କୀ ରାଷ୍ଟ୍ରପତି କହିଛନ୍ତି, ଦୀର୍ଘ ଦିନରୁ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ଉପରେ ନଜର ରଖାଯାଇଥିଲା । ସିରିଆର ଉତ୍ତର ଜାଣ୍ଡାରିଶ ସହରରେ କରାଯାଇଥିଲା ଏହି ଅପରେସନ୍‌ । ଏହି ଅଞ୍ଚଳ ତୁର୍କୀ ସୀମାର ଅତି ନିକଟରେ ରହିଛି । ଆତଙ୍କୀ ଅବୁ ହୁସେଲ୍‌ ଅଲ୍‌ କ୍ୟୁରେସୀକୁ ଘେରି ଯାଇ ତାକୁ ହତ୍ୟା କରାଯାଇଥିବା କୁହାଯାଉଛି । ସିରିଆ ଭିତରେ ପଶି ଇସଲାମିକ୍‌ ଷ୍ଟେଟ୍‌ ସହ ଲଢ଼େଇ ଜାରି ରଖିଛି ତୁର୍କୀ ସେନା । ପୂର୍ବରୁ ଇସଲାମିକ୍‌ ଷ୍ଟେଟ୍‌ ମୁଖ୍ୟ ଅବୁ ଇବ୍ରାହିମ୍‌ ଅଲ୍‌ ହାସିମ ଇଲ୍‌ କ୍ୟୁରେସୀ ପରିବାର ସହ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା । ଆମେରିକାର ସ୍ପେଶାଲ୍‌ ଫୋର୍ସ ସହ ମୁକାବିଲା ପରେ ସେ ନିଜକୁ ଉଡ଼ାଇ ଦେଇଥିଲା ।

Leave a comment