ସିଦ୍ଧୁଙ୍କ ସପୋର୍ଟ କରି ଫସିଲେ କପିଲ ଶର୍ମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍ଓ୍ବାମା ଆତଙ୍କବାଦୀ ହାମଲକୁ ନେଇ ବିବାଦୀୟ ବୟାନ ଦେଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ସପୋର୍ଟ କରିଛନ୍ତି କମେଡି କିଙ୍ଗ୍ କପିଳ ଶର୍ମା । ଏହାପରେ ତାଙ୍କୁ ଖୁବ୍ ଟ୍ରୋଲ ହେବାକୁ ପଡ଼ିଛି । ସିଦ୍ଧୁଙ୍କ ସହ କପିଲଙ୍କୁ ମଧ୍ୟ ପାକିସ୍ତାନ ପଠାଇ ଦେବାକୁ କହିଛନ୍ତି ଫ୍ୟାନ୍ । ଚଣ୍ଡିଗଡ଼ରେ ଅନୁଷ୍ଠିତ ଏକ ଆଣ୍ଟି ଡ୍ରଗ୍ ପ୍ରୋଗ୍ରାମରେ କମେଡି କିଙ୍ଗ୍ କପିଲ ଶର୍ମା ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ସିଦ୍ଧୁଙ୍କୁ କମେଡି ନାଇଟସ୍ ଉଇଥ୍ କପିଲ୍ରୁ ବାହାର କରିଦେବା ସମସ୍ୟାର ସମାଧାନ ନୁହେଁ । ପ୍ରକୃତ ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ । କିନ୍ତୁ କପିଲ୍ଙ୍କର ଏହି ମତକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାକୁ ପଡ଼ିଛି । ଅନେକ ତାଙ୍କୁ ପାକିସ୍ତାନୀ ଓ ପାକିସ୍ତାନ ପଳାଇବାକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ପୁଲ୍ଓ୍ବାମା ଆତଙ୍କବାଦୀ ହାମଲାରେ ୪୫ ଯବାନ ପ୍ରାଣ ହରାଇଥିବା ବେଳେ ଏଥିରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦର ହାତ ରହିଥିଲା । ଏ ନେଇ ସାରା ଦେଶ ପାକିସ୍ତାକୁ ବିଶ୍ୱ ମାନଚିତ୍ରରୁ ହଟାଇ ଦେବାକୁ କହୁଥିବା ବେଳେ ଏହି ଘଟଣାରେ ପାକିସ୍ତାନକୁ ଦାୟୀ କରିବା ଠିକ୍ ନୁହେଁ ବୋଲି ସିଦ୍ଧୁ କହିଥିଲେ । ଯାହାଫଳରେ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରି ଦିଆଯାଇଥିଲା ।