ତୁର୍କୀର ଭୟଙ୍କର ଭୂକମ୍ପ ଘଟଣା; ୮ ହଜାରକୁ ଟପିଲାଣି ମୃତ୍ୟୁ ସଂଖ୍ୟା, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ
ତୁର୍କୀରେ ପ୍ରକୃତିର ଭୟଙ୍କର ତାଣ୍ଡବ । ଥରି ଉଠିଲା ତୁର୍କୀର ନୁଗର୍ଦ ଅଞ୍ଚଳ । ସିରିଆ ସୀମାନ୍ତରେ ବି ସମାନ ଅବସ୍ଥା । ୨୪ଘଣ୍ଟାରେ ଚାରି ଚାରି ଥର ଭୂମିକମ୍ପ ଝଟକା । କେହି କିଛି ଭାବିବା ଆଗରୁ ଗଳିପଡ଼ୁଥାଏ ସୁଉଚ୍ଚ ଅଟ୍ଟାଳିକା, ମାଟି ସମାଧି ନେଉଥାଏ ଘରଦ୍ବାର । ତୁର୍କୀର ଭୟଙ୍କର ଭୂମିକମ୍ପରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା ।
ଏପର୍ଯ୍ୟନ୍ତ ପ୍ରାୟ ୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେହିପରି ରେକର୍ଡ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ପ୍ରାୟ ୩୫ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।
ସୋମବାର ତୁର୍କୀର ନୁଦର୍ଗ ପ୍ରାନ୍ତରେ ଭୂମିକମ୍ପ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ଭୂକମ୍ପର ତିବ୍ରତା ୭.୮ ରେକର୍ଡ କରାଯାଇଥିଲା । ଏହି ଶକ୍ତିଶାଳୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ହଜାର ୯ଶହ ୨୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସିରିଆନ୍ ସିଭିଲ୍ ଡିଫେନ୍ସ ବା WHITE HELMETSର ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ସିରିଆରେ ୧,୨୨୦ଜଣ ପ୍ରାଣ ହରାଇଥିବା ବେଳେ ୨୬ଶହରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି । ସେହିପରି SANA ମିଡିଆ ରିପୋର୍ଟ ମୁତାବକ ସରକାରୀ ତଥ୍ୟରେ ୮୧୨ଜଣଙ୍କ ପ୍ରାଣହରାଇଛନ୍ତି ।