ଚତୁର୍ଥ ଲହର ଆଶଙ୍କା : ସବୁ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ତ୍ତମାନ ଦିଲ୍ଲୀ ଓ ଏନ୍ସିଆର୍ରେ କୋଭିଡ୍ର ଦୈନିକ ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ହୋଇପଡିଛନ୍ତି । ବିଗତ କିଛିଦିନ ମଧ୍ୟରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୈନନ୍ଦିନ ରିପୋର୍ଟ ପଠାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କାଳେ ଦେଶରେ କୋଭିଡ୍ର ଚତୁର୍ଥ ଲହର ଆତଙ୍କ ଖେଳାଇବ, ସେହି ଆଶଙ୍କା ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଘାରିଛି । ଲକ୍ଡାଉନ ସମ୍ପୂର୍ଣ୍ଣ ହଟିଯିବାପରେ ବର୍ତ୍ତମାନ ଲୋକଙ୍କ ଜୀବନଶୈଳୀ ପୁଣି ଟ୍ରାକ୍କୁ ଫେରିଆସିଲାଣି । ଏଥିସହିତ ଦେଶର ଅର୍ଥନୀତି ମଧ୍ୟ ଅନୁରୂପ ତାଳ ଦେଇ ଗତି କରୁଛି । ସବୁକିଛି ଠିକ୍ଠାକ୍ ଲାଗୁଥିବାବେଳେ ଦିଲ୍ଲୀ/ଏନ୍ସିଆରରେ ଦୈନିକ ସଂକ୍ରମଣ ବୃଦ୍ଧି ପ୍ରସଙ୍ଗ ଚିନ୍ତାର କାରଣ ପାଲଟିଛି । ବିଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଦୈନିକ ସଂକ୍ରମଣରେ ୨୬ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି । ସୋମବାର ୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଜିଟିଭ୍ ହାର କିନ୍ତୁ ୪.୪୨ ପ୍ରତିଶତକୁ ହ୍ରାସ ପାଇଛି । ଦେଶବ୍ୟାପୀ କୋଭିଡ୍ ଗ୍ରାଫ୍କୁ ଅନୁଧ୍ୟାନ କଲେ ବିଗତ ୨୪ ଘଣ୍ଟାରେ ୧୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୃତକଙ୍କ ସଂଖ୍ୟା ମାତ୍ର ୧ରେ ସୀମିତ ରହିଥିବାରୁ ଏହା ଆଶ୍ୱସ୍ତିର ବାର୍ତ୍ତା ଆଣିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ଦେଶରେ ଏକ୍ସଇ ଭାରିଆଣ୍ଟ୍ର ଆବିର୍ଭାବ ପରେ ଚତୁର୍ଥ ଲହରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିଲେ ସୁଦ୍ଧା ଏହା ଚିନ୍ତାର କାରଣ ପାଲଟିବ ନାହିଁ ବୋଲି ଡାକ୍ତରୀ ମହଲ ଆଶ୍ୱାସନା ଦେଇଛନ୍ତି । ଅପରପକ୍ଷରେ ଦିଲ୍ଲୀ ପ୍ରସଙ୍ଗ ନେଇ ଚତୁର୍ଥ ଲହର ଆଶଙ୍କାକୁ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନେଟିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାଓଲୋଜିର ପୂର୍ବତନ ନିର୍ଦ୍ଦେଶକ ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ ଲୋକେ କୋଭିଡ୍ କଟକଣାକୁ ବେଖାତିର କରୁଥିବାରୁ ଦିଲ୍ଲୀରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି । ଯଦି ଦିଲ୍ଲୀବାସୀ ମାସ୍କ୍ ବ୍ୟବହାର କରିବା ସହ କୋଭିଡ୍ କଟକଣାକୁ କଡାକଡିଭାବେ ପାଳନ କରିବେ, ତେବେ ଦୈନିକ ସଂକ୍ରମଣକୁ ଅନାୟାସରେ ନିୟନ୍ତ୍ରଣ କରିହେବ ବୋଲି ସେ କହିଛନ୍ତି।