ଜର୍ଜ ତିର୍କୀଙ୍କ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା

ଭୁବନେଶ୍ୱର : ବରିଷ୍ଠ ନେତା ଜର୍ଜ ତିର୍କୀ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ସଂଗଠନର ପରିଚାଳନାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନି ।
ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଶ୍ରୀ ତିର୍କୀ ଇସ୍ତଫା ଦେଇଛନ୍ତି ଓ ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀ ତିର୍କୀ ତାଙ୍କ ଚିଠିରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପଂଚାୟତ ଓ ପୌର ନିର୍ବାଚନ ସମୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପ୍ରାର୍ଥୀମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହେଲେ । ବିଭିନ୍ନ କର୍ମକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟି ଯାଇଛି । କଂଗ୍ରେସରେ ଶୃଙ୍ଖଳା ନାହିଁ। ଏନେଇ ସେ ବାରମ୍ବାର ଏଆଇସିସି ଓ ପିସିସିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀ ତିର୍କୀ କଂଗ୍ରେସରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ଶ୍ରୀ ତିର୍କୀଙ୍କୁ କଂଗ୍ରେସ ରାଉରକେଲା ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଅବସ୍ଥାପିତ କରିଥିଲା ।