ରାଜ୍ୟରେ ନାବାଳିକା ସଂପୂର୍ଣ୍ଣ ଅସୁରକ୍ଷିତ,ଅଭିଯୋଗ କଲା ମହିଳା କଂଗ୍ରେସ

0

ଭୁବନେଶ୍ୱର (ବ୍ୟୁରୋ )ତା ୨.୧୧ – ଗତ ବୁଧବାର ବିଳମ୍ବିତ ରାତିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ
ଜିଲ୍ଲା (ଗଞ୍ଜାମ)ର ପୋଲସରାରେ ଯେଉଁ ହୃଦୟବିଦାରକ ଘଟଣା ଘଟିଯାଇଛି ତାହା
ଓଡିଶାର ମହିଳାମାନଙ୍କ ପାଇଁ ଲଜ୍ଜା, ଦୁଃଖଦ ଓ ନିନ୍ଦନୀୟ ଘଟଣା । ରାତି ନ ପାହୁଣୁ
ଶାସକ ଦଳର କର୍ମୀ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ‘ମହିଳାଙ୍କୁ ସମ୍ମାନ’ ନାରାରେ
ପୋତି ପକାଉଥିବା ବେଳେ ରାଜ୍ୟର ମହିଳା ପ୍ରତ୍ୟେକ ଦିନ ଗଣ ଦୁଷ୍କର୍ମର ଶିକାର
ହେଉଛି । ସବୁ ଦେଖି ଅନ୍ଧ ଧୃତରାଷ୍ଟ୍ର ଭଳି ରାଜ୍ୟର ମୁଖିଆ ଚୁପ୍ ହୋଇ ବସିଛନ୍ତି
କ’ଣ ପାଇଁ ଓ କାହା ସ୍ୱାର୍ଥରେ? କେଉଁଠି ମହିଳା ଗଣ ଦୁଷ୍କର୍ମ ଶିକାର ହେଉଛି ତ
କେଉଁଠି ଦୁଷ୍କର୍ମଜନିତ ହତ୍ୟାର ଶିକାର ହେଉଛି । ମହିଳାଟି ନ୍ୟାୟ ପାଇଁ ବାର
ଦୁଆର ଶୁଣ୍ଡି ପିଣ୍ଡା ହେଉଥିବା ବେଳେ ତାକୁ ନ୍ୟାୟ ଟିକେ ମିଳୁନାହିଁ, ଯାହା
ଫଳରେ ସେ ଆତ୍ମହତ୍ୟାର ବାଟ ଆପଣେଇ ନେଉଛି ।

ଗତ କାଲିର ଘଟଣା ପୁଣି କୁନ୍ଦୁଲି ଘଟଣାକୁ ମନେ ପକାଇ ଦେଉଛି ।
କୁନ୍ଦୁଲି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଓଡିଶା ପୋଲିସ
ବିଫଳତା ସରକାରଙ୍କ ଆଇନ୍ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିବା ବେଳେ
ଆଜି ପୁନର୍ବାର ଖୋଦ୍ ରାଜ୍ୟ ମୁଖିଆଙ୍କ ଜିଲ୍ଲାରେ ଏକ ନାବାଳିକାକୁ ଗଣ
ଦୁଷ୍କର୍ମର ଶିକାର ହେବାକୁ ପଡିଛି । ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଓଡିଶା
ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବରେ ପରିଗଣିତ ହୋଇଛି ।
ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ୪୮ ଘଂଟା ବିତି ଯାଇଥିଲେ ମଧ୍ୟ
ପୋଲିସ ହାତ ଖାଲି, ସରକାର ନୀରବ, ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ବସିଛି । ମହିଳା
ସୁରକ୍ଷା ଯାତ୍ରା, ମହିଳା ସମାବେଶ ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି
ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ନିଜର ଆତ୍ମପ୍ରଚାର କରିବାରେ ବ୍ୟସ୍ତ ଥିବା
ବେଳେ ବାସ୍ତବ ଚିତ୍ର ହେଉଛି ରାଜ୍ୟରେ ପ୍ରତ୍ୟେକ ଦିନ ୬ ଜଣ ମହିଳା ଦୁଷ୍କର୍ମର
ଶିକାର ହେଉଥିବା ବେଳେ ୮ ଜଣ ହତ୍ୟାର ଶିକାର ହେଉଛନ୍ତି (ଏନ୍.ସି.ଆର.ବି.
ତଥ୍ୟ) । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଏବଂ ମୁଖ୍ୟମନ୍ତ୍ରୀ ନିଜେ ଗୃହ
ବିଭାଗ ଦାୟିତ୍ୱରେ ଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ
ବୋଲି କଂଗ୍ରେସ ଦାବି କରୁଛି । ଏଥିସହିତ ଅପରାଧିଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ
କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ପୀଡିତା ପରିବାରକୁ ୫୦ ଲକ୍ଷ
ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି
ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସ କମିଟି
ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା
କାଲି ତା ୩.୧୧.୨୦୧୮ ରିଖ ଏମ୍.କେ.ସି.ଜି. ହସ୍ପିଟାଲ ଯାଇ ପୀଡିତା ଓ ତାଙ୍କ
ପରିବାରବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରି ପିସିସି

ସଭାପତିଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ
ବିଜୟଲକ୍ଷ୍ମୀ ସାହୁ, ସୋନାଲି ସାହୁ, ରଶ୍ମି ମହାପାତ୍ର, ସ୍ୱାଧିନବାଳା ଦାସ ଓ ଜୟଶ୍ରୀ
ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment