ଦେବଦାସୀ ପରଶମଣିଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୁକ୍ରବାର ରାତିରେ ଗଛକାଳିସ୍ଥିତ ବାସଭବନରେ ସେ ଶୋଇଥିବା ବେଳେ ମୃତ୍ୟୁ ଘଟିଛି। ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସ୍ୱର୍ଗତ ପରଶମଣି ଜଣେ ଅମାୟିକା ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ। କିନ୍ତୁ ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ୍ତ ଥିଲେ ପରଶମଣି। ମାତ୍ର ୭ ବର୍ଷ ବୟସରୁ ୩୦ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ବେଳେ ନୃତ୍ୟ ପରିବେଷଣ କରୁଥିଲେ। ପରେ ଦୀର୍ଘବର୍ଷ ଧରି ଗୀତଗୋବିନ୍ଦ, ଓଡିଶୀ ଛାନ୍ଦ, ଚମ୍ପୁ ଆଦି ବୋଲି ବିଶେଷ ଆଦୃତ ହୋଇଥିଲେ। ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ମଧ୍ୟ ଗାନ କରୁଥିଲେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।