ବଢୁଛି ଟ୍ଵିଟରର ଅଡୁଆ: ଏବେ ଦିଲ୍ଲୀରେ କେସ୍ ରୁଜୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ ଟ୍ଵିଟରର ମୁସ୍କିଲ ଥମିବାର ନାଁ ନେଉ ନାହିଁ। କେତେବେଳେ ଭାରତ ମାନଚ୍ଚିତ୍ରକୁ ବିକୃତ କରି ଦେଖାଉଛି ତ ଆଉ କେତେବେଳେ ଆଇଟି ନିୟମ ପାଳନ ନେଇ ସରକାରଙ୍କ ସହ ମୁହାଁମୁହିଁ ହେଉଛି ସାମାଜିକ ଗଣମାଧ୍ୟମର ଏହି ଦିଗ୍ଜ କମ୍ପାନୀ। ମଙ୍ଗଳବାର ଟ୍ଵିଟର ବିରୋଧରେ ଆଉ ଏକ ସଙ୍ଗୀନ କେସ୍ ରୁଜୁ ହୋଇଛି। ଶିଶୁ ସଂପର୍କିତ ଅଶ୍ଳୀଳ ଭିଡିଓ ନହଟାଇବା ଅଭିଯୋଗରେ ଏବେ ଟ୍ଵିଟର ବିରୋଧରେ ଦିଲ୍ଲୀ ପୋଲିସ ଆଇଟି ଆକ୍ଟ ଓ ପୋକ୍ସୋ ଆକ୍ଟ ଆଧାରରେ କେସ୍ ରୁଜୁ କରିଛି। ଏହା ପୂର୍ବରୁ ବୃଦ୍ଧଙ୍କ ମାଡମରାର ଭାଇରାଲ୍ ଭିଡିଓ ଓ ବିବାଦୀୟ ମାନଚ୍ଚିତ୍ର ସଂପର୍କିତ ମାମଲାରେ ଟ୍ଵିଟର ବିରୋଧରେ କେସ୍ ରୁଜୁ କରାଯାଇଛି।
ଦିଲ୍ଲୀ ପୋଲିସ ଏହି କେସ୍ ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି। ଆୟୋଗ ଶିଶୁଙ୍କ ସମ୍ବନ୍ଧିତ ଅଶ୍ଳୀଳ ସାମଗ୍ରୀ ନହଟାଇବା ଅଭିଯୋଗ କରି ମେ ୨୯ରେ ଟ୍ଵିଟର ବିରୋଧରେ ଦିଲ୍ଲୀ ପୋଲିସଠାରେ ଅଭିଯୋଗ କରିଥିଲେ। ଏବେ ଏହି ମାମଲାରେ ମଧ୍ୟ ଟ୍ଵିଟରର ଅଧିକାରୀଙ୍କୁ ଜେରା କରାଯାଇପାରେ। ଏହା ମଧ୍ୟରେ ୟୁପି ପୋଲିସ ଗାଜିଆବାଦରେ ଏକ ମୁସଲିମ ବୃଦ୍ଧଙ୍କ ମାଡ ମାରିବା ଭିଡିଓକୁ ସାଂପ୍ରଦାୟିକ ଦିଗ ଦେବା ମାମଲାରେ ଟ୍ଵିଟର ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛି।
ସୂଚନାଯୋଗ୍ୟ, ଭାରତ ମାନଚ୍ଚିତ୍ରକୁ ବିକୃତ କରି ଟ୍ଵିଟର ନିଜ ଓ୍ଵେବସାଇଟ୍ରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅନ୍ୟ ଏକ ଦେଶ ଭାବେ ଦର୍ଶାଇଥିଲା। ଏହି ମାମଲାରେ ଟ୍ଵିଟର ବିରୋଧରେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି। ହେଲେ ପରେ ନିଜର ଭୁଲ୍ ସୁଧାରି ଟ୍ଵିଟର ଓ୍ଵେବସାଇଟ୍ରୁ ବିବାଦୀୟ ମାନଚ୍ଚିତ୍ରକୁ ହଟାଇଥିଲା।