ବନ୍ଧୁକ ସହିତ ପ୍ରେମ ପାଗଳ ଯୁବକ ଅଟକ
୫ ଘଣ୍ଟାର ଅପରେସନ ପରେ ପଣବନ୍ଦୀ ଉଦ୍ଧାର
(ଓଡ଼ିଶାଫାଷ୍ଟ ବ୍ୟୁରୋ): ବଲାଙ୍ଗୀର ଟାଉନ୍ ଥାନା ଅଞ୍ଚଳରେ ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସି ସାରା ରାଜ୍ୟବାସୀଙ୍କୁ ଚକିତ କରିଛି । ଜଣେ ବ୍ୟକ୍ତିିଙ୍କ ଘରେ ପଶି ପ୍ରେମିକାଙ୍କ ସମ୍ପର୍କୀୟଙ୍କୁ ପଣବନ୍ଦୀ କରି ରଖିବା ଏବଂ ୫ ଘଣ୍ଟା ଧରି ଫିଲ୍ମ ଷ୍ଟାଇଲରେ ପୁଲିସର ଜବରଦସ୍ତ ଅପରେସନ୍, ହୁଲସ୍ତୁଲ୍ କରିଦେଇଥିଲା ସାରା ସହରକୁ । ପୁଲିସ ଏବଂ ଦମକଳ କର୍ମଚାରୀମାନେ ପଣବନ୍ଦୀ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ପୁଲିସ ଯେଭଳି ଢଙ୍ଗରେ କାବୁ କଲା, ତାକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତିପଡା ବାସିନ୍ଦା ଦିବ୍ୟଲୋଚନ ହୋତାଙ୍କ ଘର । ବଲାଙ୍ଗୀର ମହିଳା କଲେଜ ପାଖରେ ଇଣ୍ଟରନେଟ୍ କାଫେ ବ୍ୟବସାୟ କରୁଥିବା ବିକ୍ରମ ପଣ୍ଡା ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ଟା ବେଳେ ହଠାତ୍ ପଶି ଆସିଥିଲା ଦିବ୍ୟଲୋଚନଙ୍କ ଘରକୁ । ସେତେବେଳେ ଶ୍ରୀ ହୋତା ପୂଜା କରୁଥିଲେ । ଭାବିଲେ, ଏସି ନଚେତ୍ ବିଦ୍ୟୁତ ସଜାଡିବା ଲୋକ ହୋଇଥିବେ । ମାତ୍ର ଯୁବକଟି ଭିତରପଟୁ କବାଟ ଦେଇ ପାଖରେ ରଖିଥିବା ବନ୍ଧୁକକୁ ତାଙ୍କ ମୁଣ୍ଡରେ ଲଗାଇଦେଲା । ତୁମ ଭାଣିଜୀ କେଉଁଠି ଅଛି ଡାକ, ନହେଲେ ଗୁଳି କରିଦେବି ବୋଲି କହିଲା । ଶ୍ରୀ ହୋତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ବି ଧମକାଇଲା । ଭାଣିଜୀକୁ ଡାକି ନ ଆଣିଲା ପର୍ଯ୍ୟନ୍ତ ଏଇଠି ରହିଲ କହି ସମସ୍ତଙ୍କୁ ପଣବନ୍ଦୀରେ ରଖିଲା । ତେବେ କୌଶଳକ୍ରମେ ହୋତାଙ୍କ ପରିବାର ଏକ ରୁମ୍ ଭିତରକୁ ଖସିଆସି ଭିତରୁ କବାଟ ଦେଇଦେଲେ । ବିକ୍ରମ ଗର୍ଜନ ତର୍ଜନ କରି କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରି ନ ଥିଲା । ଇତିମଧ୍ୟରେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଖବର ପାଇ ସେଠାରେ ପହଞ୍ଚି ସାରିଥିଲେ ଏବଂ ୩ ପରିବାର ସଦସ୍ୟଙ୍କ ଉଦ୍ଧାର ଅପରେସନ୍ରେ ଲାଗିଯାଇଥିଲେ । ସେଥିପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସେହି ରୁମ୍ ର ପଛ ଝରକା ବାଟେ ସେମାନଙ୍କୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ ।
ସେପଟେ ଘର ଭିତରେ ପାଗଳ ପଶୁ ଭଳି ଉତ୍ପାତ କରିଥିଲା ଛୁରୀ ଓ ବନ୍ଧୁକଧାରୀ ବିକ୍ରମ । ଆଗକୁ ଯିଏ ଆସିବ ଗୁଳି କରିଦେବ ବୋଲି ଚିକ୍ରାର କଲା । ବିକ୍ରମର ୪ ଜଣ ଭଲ ସାଙ୍ଗକୁ ପୁଲିସ ଡାକି ତାକୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । ମାତ୍ର ବିକ୍ରମ କାହାରି ସାଙ୍ଗରେ କଥା ହୋଇ ନ ଥିଲା । ଏଠିକି କେହି ଆସନି ବୋଲି ଧମକେଇଥିଲା । ଶେଷରେ ବଲାଙ୍ଗୀର ଏସପି ନୀତିନ କୁଶଲକର ନିଜେ ଘର ଭିତରକୁ ପଶିଥିଲେ । ସାଙ୍ଗରେ ଥିଲେ ବଲାଙ୍ଗୀର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସି । ବିକ୍ରମକୁ କାବୁ କରିବାକୁ ବହୁ କୌଶଳ ପ୍ରୟୋଗ କରାଯାଇଥିଲା । ମାତ୍ର ପୁଲିସକୁ ଦେଖି ସେ ନଇଁବା ପରିବର୍ତ୍ତ? ଦୁଇ ତିନି ରାଉଣ୍ଡ ଗୁଳି କରିଥିଲା । ପରେ ଏସପି ଓ ତାଙ୍କ ବାହିନୀ ତାକୁ କାବୁ କରିଥିଲେ ।ପୁଲିସ କାବୁ କଲା ପରେ ମଧ୍ୟ ବିକ୍ରମ ଶାନ୍ତ ପଡି ନ ଥିଲା । ହିଂସ୍ର ଆଚରଣ ଜାରି ରଖିଥିଲା । ତାଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇ ପଚରାଉଚୁରା କଲା ପରେ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିକ୍ରମ ଏକପାଖିଆ ଭଲ ପାଉଥିଲେ । ବିକ୍ରମ ତାଙ୍କୁ ବାହା ହେବା ପ୍ରସ୍ତାବ ଦେବା ପରେ ସେ ମନା କରିଦେଇଥିଲେ । ସଂପୃକ୍ତ ଯୁବତୀ ହୋତା ପରିବାରର ସମ୍ପର୍କୀୟ ।