୩ ବର୍ଷରୁ ଅଧିକ ପିଲାଙ୍କ ଲାଗି ଚୀନର କରୋନା ଟୀକା
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ) : ଚୀନ ୩ ବର୍ଷର ପିଲାଙ୍କ ଲାଗି କରୋନା ଟିକା ବିକଶିତ କରିଛି । ୩ ବର୍ଷିଆ ଛୁଆଙ୍କୁ ସିନୋଭ୍ୟାକ ବାୟୋଟେକ୍ ଦ୍ୱାରା ଉତ୍ପାଦିତ ପିଲାଙ୍କ ପାଇଁ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାରକୁ ଚୀନ୍ ଅନୁମୋଦନ କରିଛି । ପିଲାଙ୍କୁ ଦେଇ ହେଉଥିବା ଟିକା ଅନୁମୋଦନ କରିବାରେ ଚୀନ ବିଶ୍ୱର ପ୍ରଥମଦେଶ ହୋଇପାରିଛି । ଏପର୍ଯ୍ୟନ୍ତ କେବଳ ୧୮ ବର୍ଷ ଏବଂ ତଦ୍ଦୁର୍ଦ୍ଧ୍ୱ ବୟସର ଲୋକମାନଙ୍କ ପାଇଁ କୋଭିଡ୍ ଟିକା ସୀମିତ ଥିଲା ।
ଚୀନର ଏକ ରାଷ୍ଟ୍ରାୟତ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କମ୍ପାନିର ଅଧ୍ୟକ୍ଷ ୟିନ୍ ୱେଇଡଙ୍ଗ୍ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହା କେବେ ପିଲାମାନଙ୍କୁ ଏହି ଟିକା ଦିଆଯିବ ସେ ଘୋଷଣା କରିନାହାନ୍ତି । ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିକାକରଣ ବନ୍ଦୋବସ୍ତ ଉପରେ ଛୁଆମାନଙ୍କୁ ସିନୋଭ୍ୟାକର ଟିକା ଦେବା ଆରମ୍ଭ ତାରିଖ ନିର୍ଭର କରୁଛି ବୋଲି ୟିନ୍ ୱେଇଡଙ୍ଗ୍ କହିଛନ୍ତି । ଏହି ଟିକା ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ବୋଲି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରୁ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟ ଥିବା କଥା ଜଣାପଡିଛି ।