୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଲୋକର୍ପିତ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରସୁଲପୁର ବ୍ଲକ୍ କୁଆଖିଆ ବଜାରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ସୋମବାର ଲୋକର୍ପିତ ହୋଇଯାଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ନୂତନ କୋଭିଡ୍ ହସପିଟାଲ୍କୁ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଏଡିଏମ ମିହିର ପ୍ରସାଦ ମହାନ୍ତି ଓ ଅକ୍ଷୟ ମଲ୍ଲିକ, ରସୁଲପୁର ବିଡିଓ ଉମାକାନ୍ତ ପରିଡା,ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ଭୂମିକା ହସପିଟାଲ ଗ୍ରୁପ୍ ଚେୟାରମ୍ୟାନ ଭୀଷ୍ମ ପ୍ରସାଦ ରଥ, ହସପିଟାଲ୍ ଅଧୀକ୍ଷକ ଡାକ୍ତର ଭୂମିକା ରଥ, ସହକାରୀ ଅଧୀକ୍ଷକ ଡାକ୍ତର ପ୍ରତିଷ୍ଠା ରଥ ଓ ଡାକ୍ତର ସୁଲଗ୍ନା ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।
୧୫୦ଟି ଅକ୍ସିଜେନ ସୁବିଧା ଥିବା ଶଯ୍ୟା ସହିତ ୫୦ଟି ଆଇସିୟୁ ଶଯ୍ୟା ରହିଛି। ଏଠାରେ ମୋଟ ୧୭ ଜଣ ଡାକ୍ତର ରୋଗୀମାନଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିଥିବା ବେଳେ ସହାୟତା ପାଇଁ ୭୨ଜଣ ନର୍ସିଂ ଷ୍ଟାଫ୍, ୧୮ଜଣ ଫାର୍ମାସିଷ୍ଟ୍, ୩୪ ଜଣ ପାରା ମେଡିକାଲ୍ ଷ୍ଟାଫ୍ ଓ ୩୪ ଜଣ ସହାୟକ କର୍ମଚାରୀ କାର୍ଯ୍ୟ କରୁଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ କୁଆଖିଆ ଠାରେ ହସପିଟାଲ୍ ଅବସ୍ଥିତି କାରଣରୁ ଏଠାକୁ ରୋଗୀ ମାନଙ୍କୁ ନେବା ଆଣିବାରେ ସୁବିଧା ରହିଛି। ରୋଗୀମାନଙ୍କୁ ସେମାନଙ୍କ ଘରୁ କିମ୍ବା ଅନ୍ୟ ଡାକ୍ତରଖାନାରୁ ଏଠାକୁ ଆଣିବା ଓ ଚିକିତ୍ସା ପରେ ଘରେ ନେଇ ଛାଡିବା ପାଇଁ ହସପିଟାଲ ପକ୍ଷରୁ ଗାଡିର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିୟମ ମୁତାବକ ସରକାରୀ ଖର୍ଚ୍ଚରେ ଏଠାରେ ସମସ୍ତ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି।

କରୋନାର ଦ୍ବିିତୀୟ ଲହର ସହରରୁ ଗ୍ରାମାଞ୍ଚଳକୁ ବ୍ୟାପିବା ସହିତ କରୋନା ରୋଗୀ ଗୁରୁତର ହେବାରେ ଲାଗିଛନ୍ତି। ଏହି ନୂତନ ଡାକ୍ତରଖାନା ଯାଜପୁର ସମେତ ପଡ଼ୋଶୀ ଜିଲ୍ଲାବାସୀଙ୍କ ସେବାରେ ଲାଗି ପାରିବ । ଏହି ହସ୍ପିଟାଲକୁ ୧୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ମିଳିଥିଲା। ଆଗାମୀ ଦିନମାନଙ୍କରେ ଜିଲ୍ଲାର ଯେକୌଣସି ସ୍ଥାନର ଗୁରୁତର କରୋନା ରୋଗୀକୁ ଏହି ଡାକ୍ତରଖାନାରେ ସେବା ଯୋଗାଇ ଦିଆଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ରସୁଲପୁର ବ୍ଲକ୍ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ଏକ ବଡ ଅବଦାନ। ଗ୍ରାମାଞ୍ଚଳର କରୋନା ଆକ୍ରାନ୍ତଙ୍କୁ ସହଜ ଓ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କୁଆଖିଆରେ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ଧର୍ମଶାଳା ବିଧାୟକ ବଳବନ୍ତରାୟ କହିଛନ୍ତି।

Leave a comment