ନୂତନ କୃଷି ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୃଷି ଆଇନ ଓ ଚାଷୀଙ୍କ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏଥିସହିତ ଏହି ଏକ୍ସପର୍ଟ କମିଟି ପାଖରେ ଚାଷୀମାନେ ଅଭିଯୋଗ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଆପୋସ ବୁଝାମଣା ନେଇ କେନ୍ଦ୍ରର ଭୂମିକାକୁ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହାକିଛି ଚାଲିଛି ତାକୁ ନେଇ ଆମେ ଆଦୌ ଖୁସି ନୋହୁଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିସହିତ କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ି ଆନ୍ଦୋଳନ କରୁଛନ୍ତି, କାହିଁକି କେହି ଜଣେ ଆଇନ ସପକ୍ଷରେ ଏଯାଏଁ ରିଟ ଦାଖଲ କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହିତ କୌଣସି ରକ୍ତପାତ ମୃତ୍ୟୁକୁ ଆମେ ଗ୍ରହଣ କରିବୁ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।