୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ; ଜମ୍ମୁ ଓ କଶ୍ମୀରରେ ମନ୍ଦିର ଆକ୍ରମଣ ଯୋଜନ ପଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲାକୋଟ୍‌ରୁ ଜମ୍ମୁ ଓ କଶ୍ମୀର ଗଜନବି ଫୋର୍ସର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ମେନ୍ଧର ଅଞ୍ଚଳରୁ ଏକ ଆତଙ୍କବାଦୀ ସଂଗଠନ ଠାବ କରାଯାଇଥିବା କଥା ରବିବାର ଦିନ ନିରାପତ୍ତା ବଳ କହିଛି।
ଗ୍ରେନେଡ୍‌ଦ୍ୱାରା ମେନ୍ଧରର ଅରି ଅଞ୍ଚଳରେ ଏକ ମନ୍ଦିରରେ ଆକ୍ରମଣ କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାଙ୍କ ଯୋଜନାକୁ ପଣ୍ଡ କରିଥିବା କଥା ମଧ୍ୟ ନିରାପତ୍ତା ବଳ ଦାବି କରିଛି।
ପୁଞ୍ଚର ବରିଷ୍ଠ ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ରମେଶ କୁମାର ଅଙ୍ଗ୍ରାଲ୍‌ କହିଛନ୍ତି, ଶନିବାର ରାତି ପ୍ରାୟ ୮ଟା ବେଳେ ବାସୁନି ନିକଟରୁ ମେନ୍ଧର ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ଏବଂ ୪୯ ରାଷ୍ଟ୍ରୀୟ ରାଇଫଲ୍‌ ମୁସ୍ତାଫା ଇକ୍‌ବାଲ୍‌ ଏବଂ ମୁର୍ତାଜ୍‌ ଇକ୍‌ବାଲ୍‌ ନାମକ ଦୁଇଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିଲେ। ଦୁହେଁ ପୁଞ୍ଚ୍‌ ଜିଲ୍ଲାର ଗୁରସାଇ ଅଞ୍ଚଳ ଅନ୍ତର୍ଗତ କେରି ଗଲହୁତାବାସୀ ମହମଦ୍‌ ୟସୀନ୍‌ଙ୍କ ପୁଅ।
ଦୁଇ ସନ୍ଦିଗ୍ଧଙ୍କୁ ବାସୁନିସ୍ଥିତ ୪୯ ଆର୍‌ ଆର୍‌ ବାଟାଲିୟନ୍‌ ମୁଖ୍ୟାଳୟରେ ପଚରା ଉଚୁରା କରାଯାଇଥିଲା। ପଚରା ଉଚୁରା ସମୟରେ ମୁସ୍ତାଫା ଇକ୍‌ବଲଙ୍କ ଫୋନ୍‌ରୁ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ନମ୍ବର ମିଳିଥିଲା। ମୁସ୍ତାଫା ଉକ୍ତ ବ୍ୟକ୍ତିଙ୍କ ସହ ସନ୍ଦେହଜନକ ବାର୍ତ୍ତାଳାପ କରିଥିଲେ।
ଅଧିକ ପଚରା ଉଚୁରା ବେଳେ ମୁସ୍ତାଫା ସ୍ୱୀକାର କରିଥିଲେ ଯେ, ସେମାନଙ୍କୁ ମେନ୍ଧରର ଅରି ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିର ଉପରକୁ ଗ୍ରେନେଡ୍‌ ଫିଙ୍ଗିବା ଦାୟିତ୍ୱ ଦିଆଯାଇଥିଲା। ଗ୍ରେନେଡ୍‌ କିଭଳି ବ୍ୟବହାର କରାଯିବ ତାହାର ଏକ ଭିଡିଓ ମଧ୍ୟ ତାଙ୍କ ଫୋନ୍‌ରୁ ମିଳିଛି ବୋଲି ଏସ୍‌ଏସ୍‌ପି କହିଛନ୍ତି।
ସେମାନଙ୍କ ଘର ତଲାସ କରାଯିବା ପରେ ଛଅଟି ଗ୍ରେନେଡ୍‌ ଓ ଜମ୍ମୁ ଓ କଶ୍ମୀର ଗଜନବି ଫୋର୍ସର କେତୋଟି ପୋଷ୍ଟର୍‌ ମିଳିଛି।

Leave a comment