ଡିସେମ୍ବର ୨୫ ସୁଦ୍ଧା ଖୋଲିବ ଶ୍ରୀମନ୍ଦିର, ହେବ ଭକ୍ତ ଓ ଭଗବାନଙ୍କ ମିଳନ
ଜାଣନ୍ତୁ କଣ ରହିଛି କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଶନିବାର ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେବା ପରେ ମନ୍ଦିର ଖୋଲାଯିବ। ମନ୍ଦିର ଖୋଲିବାର ପ୍ରଥମ ୪/୫ ପୁରୀବାସୀଙ୍କୁ ଅଗ୍ରାଧିକାର ଦିଆଯିବ। ଜାନୁୟାରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ପୁଣି ୩ ତାରିଖରୁ ସମସ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ।
ସୂଚନା ଅନୁସାରେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ମନ୍ଦିର ଖୋଲିପାରେ। ନୂଆ ବର୍ଷରେ ପ୍ରବଳ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୧ ଓ ୨ ତାରିଖ ବନ୍ଦ ରହିବା ପରେ ୩ ତାରିଖରୁ ପୁଣି ଥରେ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଦର୍ଶନ ଚାଲିଲେ ମଧ୍ୟ କିଛି କଟକଣା ଜାରି ରହିବ। ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ।
୩ ତାରିଖରୁ ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏହା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ। ମାସେ କିମ୍ବା ୨ ମାସ ପରେ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯିବ। ଜିଲା ବାହାର ଲୋକଙ୍କୁ କୋଭିଡ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ। ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ପିଲାମାନଙ୍କୁ ନ ଆସିବାକୁ ଅନୁରୋଧ କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।