ସୁବର୍ଣ୍ଣ ରେ ସୁସଜ୍ଜିତ ହେଲେ ଶ୍ରୀଜିଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନାବେଶ ରେ ଝଟକିଲେ ରଥାରୁଢ଼ ତିନିଠାକୁର । ବିଭିନ୍ନ ସୁନା ଅଳଙ୍କାର ରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜିଉ । ସଂଧ୍ୟା ୫:୩୦ ସୁଦ୍ଧା ସୁନାର କିରୀଟ, କାନ, ବାହାଡ଼ାମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ,ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି ଆଦି ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି ହୋଇ ତିନି ଠାକୁରଙ୍କ ସୁନାବେଶ ହେବା ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଯାଇଛି ।
ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଅାଜି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୧ଟାରେ ସୁନାବେଶ ଓଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।