୧୦୦ କିମି ବେଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ନିସର୍ଗ ! ପାଲଘରରୁ ୨୧ ହଜାର ସ୍ଥାନାନ୍ତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ଉଗ୍ର ରୂପ ଧାରଣ କରିଛି। ଜୁନ ୩ରେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଗୁଜରାଟ ଉଭୟ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫର ୩୩ ଟିମ୍ ମୁତୟନ କରାଯାଇଛି। ମହାରାଷ୍ଟ୍ର ତଟବର୍ତ୍ତୀ ଅଞ୍ଚଳରେ ୧୧ ଟିମ୍କୁ ନିୟୋଜିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ନିସର୍ଗର ତ୍ରୀବତାକୁ ଦେଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳର ଜିଲ୍ଲାଗୁଡିକ ପାଇଁ ଆଲର୍ଟ ଜାରି କରିଛି। ଗୁଜରାଟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଏବେ ସୁଦ୍ଧା ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପୁଣେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ନିସର୍ଗ ବୁଧବାର ଅଲିବାଗ ପହଞ୍ଚିପାରେ। ସ୍ଥଳଭାଗ ଛୁଇଁବାପରେ ପବନର ବେଗ ୧୦୦ କିମି ରହିପାରେ। ଏହାସହିତ ପାଲଘର, ପୁଣେ, ଠାଣେ, ମୁମ୍ବାଇ, ରାୟଗଢ, ଧୁଲେ ଓ ନନ୍ଦୁରବାର, ନାସିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ବାତ୍ୟା ନେଇ ପୁର୍ବାନୁମାନ ଓ ଓ୍ଵାର୍ଣ୍ଣିଂ ଜାରିକରିଛି। ପାଣିପାଗ ବିଭାଗ ପାଲଘର, ମୁମ୍ବାଇ ଓ ଠାଣେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ଏହି ତିନୋଟି ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ନିସର୍ଗ ଘଣ୍ଟା ପ୍ରତି ୧୧ କିଲୋ ମିଟର ବେଗରେ ଗତି କରୁଛି। ଏହି ସମୟରେ ବାତ୍ୟା ଗୋଆର ପଶ୍ଚିମ-ଦକ୍ଷିଣ ପଶ୍ଚିମଠୁ ୨୮୦ କିମି ଦୂରରେ ରହିଛି। ମୁମ୍ବାଇ କୂଳରୁ ଦକ୍ଷିଣ-ପଶ୍ଚିମରେ ୪୯୦ କିମି ଦୂରରେ ବାତ୍ୟା ରହିଛି। ଏହା ବ୍ୟତୀତ ଗୁଜରାଟର ସୁଟରରୁ ୭୧୦ କିମି ଦୂରରେ ରହିଛି। ଜୁନ୍ ୬ ପର୍ଯ୍ୟନ୍ତ ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ୧୦୫ ରୁ ୧୧୫ କିଲୋମିଟର ବେଗରେ ବହିପାରେ।