ମୁଁ ଗାଇବି, ଆପଣମାନେ ବି ଗାଆନ୍ତୁ: ବିଧାୟକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ମହାମାରୀ କରୋନା ସହ ଲଢୁଛି । ଏହି ଯୁଦ୍ଧରେ ଯୋଦ୍ଧା ସାଜିଥିବା ପ୍ରତେକ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନ କ୍ରମେ ବିଧାୟକ ତଥା ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓଡ଼ିଶାବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ମୁଁ ବି ଗାଇବି, ଆପଣମାନେ ବି ଗାଆନ୍ତୁ ।
ସମଗ୍ର ବିଶ୍ଵ ପରି ଓଡିଶାରେ ମଧ୍ୟ କରୋନା ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମନୋବଳ ବଢାଇ ଲାଗି ଆସନ୍ତା ଶନିବାର ସନ୍ଧ୍ୟା ୫.୩୦ ମିନିଟରେ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଆହ୍ୱାନକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିବା ସହ ସମୂହ ସଙ୍ଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହିକ୍ରମରେ ଓଡ଼ିଶାବାସୀଙ୍କ ପ୍ରିୟନେତା ବବି ଭାଇ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନିବେଦନ କରିଛନ୍ତି ।