ସେଲ୍ଫ ଷ୍ଟଡି ଆଣିବ ଶିକ୍ଷାରେ ସଂସ୍କାର, ଛାତ୍ରଛାତ୍ରୀ ହେବେ ଆତ୍ମନିର୍ଭରଶୀଳ : ମନ୍ତ୍ରୀ ଡ଼ା ଅରୁଣ ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ସାମାନ୍ୟ କୋହଳ ହେବାପରେ ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ା ଅରୁଣ କୁମାର ସାହୁ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା କେମିତି ସ୍ୱାଭାବିକ କରିହେବ ସେନେଇ ଆମ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚାଲିଥିବାବେଳେ ବିଭାଗୀୟ ସଚିବ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ମାନେ ଉପସ୍ଥିତ ଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବସମ୍ମତି କ୍ରମେ ପିଜି ର ୨ୟ ସେମିଷ୍ଟର ପରୀକ୍ଷା ଏବଂ +୩ର ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱବିଦ୍ୟାଳୟ ଗୁଡିକଦ୍ୱାରା ବିକଳ୍ପ ପନ୍ଥା ଅବଲମ୍ବନ କରି ମୂଲ୍ୟାୟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଏଥର ପ୍ରଥମ ଥର ପାଇଁ +୩ ଏବଂ ପିଜିରେ ପାଠ୍ୟକ୍ରମର ୨୫% ଗାଇଡେଡ଼ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବ । ଏହା ଏକ ସମୟୋଚିତ ଯୁଗାନ୍ତକାରୀ ପଦକ୍ଷେପ ହେବ ।
ଛାତ୍ରଛାତ୍ରୀ ମାନେ ସେଲ୍ଫ ଷ୍ଟଡି ମେଟେରିଆଲ ନିଜେ ପଢିବେ ,ପ୍ରସ୍ତୁତ ହେବେ ଏବଂ ଶିକ୍ଷକ ମାନେ ଟୁଇଟରିଆଲ କ୍ଲାସ ରେ ସେମାନଙ୍କର ସନ୍ଦେହ ଯାହା ଥିବ ଦୂର କରିପାରିବେ । ସେଲ୍ଫ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଆତ୍ମନିର୍ଭରଶୀଳତା ଓ ଜିଜ୍ଞାସା ବଢିବ ବୋଲି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।