ମହାପ୍ରଭୁଙ୍କ ସେବକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅନୁମତି ପରେ ରଥଯାତ୍ରାକୁ ନେଇ ସମସ୍ତ ଦ୍ଵନ୍ଦ ଦୁର ହୋଇଛି । ରଥ ନିର୍ମାଣ କାର୍ଯ୍ୟ ୧୩ ଦିନ ବିଳମ୍ବ ହୋଇଛି ସତ କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣ କୁମାରଙ୍କ ପ୍ରଚେଷ୍ଟା ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ । ରଥଯାତ୍ରାର ସମସ୍ତ କାର୍ଯ୍ୟ କିପରି ନିର୍ବିଘ୍ନ ରେ ସମାପନ ହେବ ସେନେଇ ଗତକାଲି ଡ. କ୍ରିଷ୍ଣ କୁମାର ଶ୍ରୀଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ସେହିପରି ନିର୍ବିଘ୍ନରେ ରଥ ନିର୍ମାଣ କାର୍ଯ୍ୟ ସହିତ ମହାପ୍ରଭୁଙ୍କ ସମସ୍ତ ସେବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବାକୁ ସ୍ଥିର ହୋଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱରେ ଡା. ଦେବୀ ପ୍ରସାଦ ମହାପାତ୍ର ରହିବେ । ଋଥ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଥିବା ମହାରଣା ସେବକ, ଭୋଇ ସେବକ, ରୂପକାର ସେବକ, କୁମାର ସେବକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଦେବୀ ପ୍ରସାଦ ମହାପାତ୍ରଙ୍କୁ ଆସନ୍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଶୁକ୍ରବାର ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକ ପ୍ରସ୍ତୁତି ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆୟୁଷ ଡାକ୍ତର ପ୍ରୀତିଶ ରଞ୍ଜନ ମହାପାତ୍ର, ଡାକ୍ତର ଦେବୀ ପ୍ରସାଦ ମହାପାତ୍ରଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବେ । ଡାକ୍ତର ମହାପାତ୍ରଙ୍କ ଅଧୀନରେ ଅର୍ବାନ୍ ଏମଏଚୟୁ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଜିଲ୍ଲା ଆରଆରଟି ଟିମ୍ ସମ୍ପୂର୍ଣ୍ଣ ଭାବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାାଳୟରେ କାର୍ଯ୍ୟ କରୁଥିବା ହେଲଥ ୱାର୍କର୍ ଅବିନାଶ ହୋତା, ମିଲନ ମହାପାତ୍ର ଏବଂ ପରେଶ ସ୍ୱାଇଁ ୯ ତାରିଖ ସକାଳେ ଲିଆସନ୍ ଅଫିସର ଡାକ୍ତର ମହାପାତ୍ରଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଗତକାଲି ଶ୍ରୀଫଳ ବାଡେଇ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ ବିଶ୍ୱକର୍ମା ମହାରଣା କୁରାଢ଼ୀ ସ୍ପର୍ଶ କରିଛନ୍ତି । ସେହିପରି ପ୍ରାଥମିକ କାର୍ଯ୍ୟ ଭାବେ ତିନି ରଥର ୪୨ ଟି ଚକ ପାଇଁ ତୁମ୍ବ ବାଡ଼ିଆ କରାଯାଇଛି । କିପରି ଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷହେବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣ କୁମାର ମହାରଣା, ସେବାୟତ ଏବଂ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ।