ଦେଶରେ ୧୦୦୦ ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା, ୩୧ ହଜାରରୁ ଅଧିକ ଆକ୍ରାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଦେଶରେ ବୁଧବାର ସକାଳ ସୁଦ୍ଧା ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୩୨ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏବେ ୨୨ ହଜାର ୬୨୯ ଜଣ ଚିକିତ୍ସାଧୀନ ଥିବାବେଳେ ୭୬୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏହି ରାଜ୍ୟରେ ସର୍ବାଧିକ ୯ ହଜାର ୩୧୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୩୭୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି। ନୂଆଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୩୩୧୪ରେ ପହଞ୍ଚିଥିବାବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ମଧ୍ୟପ୍ରଦେଶରେ ୨୩୮୭ ଆକ୍ରାନ୍ତ ଓ ୧୨୦ ମୃତ, ରାଜସ୍ଥାନରେ ୨୩୮୩ ଆକ୍ରାନ୍ତ ଏବଂ ୫୨ ମୃତ, ତାମିଲନାଡୁରେ ୨୦୫୮ ଆକ୍ରାନ୍ତ ଓ ୨୫ ମୃତ, ଉତ୍ତରପ୍ରଦେଶରେ ୨୦୫୩ ଆକ୍ରାନ୍ତ ହୋଇଥିବାବେଳେ ଓ ୩୪ ଜଣଙ୍କ ମୃତ୍ୟୁ ଘଟିଛି।