ରାଜ୍ୟ ବାହାରୁ ଓଡ଼ିଆ ଆସିଲେ ପଞ୍ଜିକରଣ କରିବାକୁ ବାଧ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ବିନା ପଞ୍ଜିକରଣରେ ନିଜ ଘରକୁ ଫେରିପାରିବେ ନାହିଁ । ଓଡ଼ିଶାକୁ ଫେରିବାପରେ ସେମାନଙ୍କୁ ନିଶ୍ଚିତ ଭାବେ ୧୪ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କୋଭିଡ-୧୯ ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜନିଜ ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ସରପଞ୍ଚମାନଙ୍କୁ ଶପଥପାଠ କରାଇଛନ୍ତି।
ନିୟମିତ ବୁଲେଟିନରେ ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି ଯେ, ଲକଡାଉନ୍ ସରିବାପରେ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ନିଜନିଜ ଘରକୁ ଫେରିବା ପାଇଁ ବ୍ୟଗ୍ର ହୋଇ ରହିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ଏବେ ବିଭିନ୍ନ ରାଜ୍ୟ ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ସେମାନଙ୍କ ପାଇଁ ସରକାର ଚିନ୍ତିତ ଓ ସମ୍ବେଦନଶୀଳ ଅଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ପରେ ସେମାନେ ଘରକୁ ଫେରିଲେ ସେମାନଙ୍କ ନିମନ୍ତେ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କ ସହ କଥା ହୋଇ ସେମାନଙ୍କୁ ତାଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ। ତେବେ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନେ ଘରକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ନିଶ୍ଚିତ ଭାବେ ପଞ୍ଜିକରଣ କରିବାକୁ ପଡ଼ିବ। ସରକାର ଏଥିପାଇଁ ଏକ ୱେବପୋର୍ଟାଲ ତିଆରି କରିଛନ୍ତି ଯାହାକି
ଆସନ୍ତା ଏପ୍ରିଲ ୨୪ରୁ କାର୍ଯ୍ୟକ୍ଷମ ହେବ। ଏଥିରେ ୩ଟି ମାଧ୍ୟମରେ ପଞ୍ଜିକରଣ କରିହେବ। ଓଡ଼ିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତି ନିଜେ ଅବା ଅନ୍ୟ କୌଣସି ଲୋକଙ୍କ ମାଧ୍ୟମରେ କରିପାରିବ। ନଚେତ୍ ଘରେ ଥିବା ତାଙ୍କର ପରିବାର ସଦସ୍ୟ ଏକ ଫର୍ମ ପୂରଣ କରି ସେ ଯେଉଁ ଗାଁ ଅବା ସହରର ବାସିନ୍ଦା ହୋଇଥିବେ ସେହି ପଞ୍ଚାୟତ ଅବା ୱାର୍ଡ ଅଫିସରେ ଦାଖଲ କରିପାରିବେ।